ତୁଣ୍ଡ ପଡ଼ିଲା ମହଙ୍ଗା : ବିଦା ହେଲେ ଦାମ

Published By : Prameya-News7 Bureau | September 12, 2018 IST

ଭୁବନେଶ୍ୱର ୧୨/୦୯ : ପୁର୍ବତନ ମନ୍ତ୍ରୀ ପାରାଦୀପ ବିଧାୟକ ଦାମଦର ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି । ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳର ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତର ଦାମୋଦର ରାଉତ ଗତ କିଛି ଦିନ ଧରି ଦୁର୍ନୀତି ପ୍ରସଙ୍ଗ ଉଠାଇ ଦଳକୁ ଅଡୁଆରେ ପକାଉଥିଲେ । ଏପରି କି ଗତ ୯ ତାରିଖ ଦିନ ଏରସମାରେ ଆୟୋଜିତ ଏକ ସଭାରେ ବିରୋଧୀଙ୍କ ସହ ଯୋଗ ଦେଇଥିଲେ । ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଜଗତସିଂହପୁର ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ଏରସମା. ବାଲିକୁଦା ବିଧାୟକ ୧୦ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଥିଲେ । ୧୧ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲାର କିଛି ବିଜେଡି କର୍ମୀ ମଧ୍ୟ ନବୀନ ନିବାସଠାରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ଦାମ ବାବୁଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ନବୀନ ପଟ୍ଟନାୟକ କହିଥିଲେ ଯେ, ଏହି ଦାବି ଓ ଅଭିଯୋଗ ସମ୍ପର୍କରେ ସେ ବିଚାର କରୁଛନ୍ତି । ଆଶା କରାଯାଉଥିଲା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦିଲ୍ଲୀ ଯାଇଥିବା ନବୀନ ପଟ୍ଟନାୟକ ଓଡ଼ିଶା ଫେରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ ନବୀନ ଦିଲ୍ଲୀରେ ଥିବାବେଳେ ହିଁ ଆଜି ତାଙ୍କ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦାମଙ୍କୁ ବହିଷ୍କାର ବେଳେ ତାଙ୍କୁ କାରଣ ଦର୍ଶାଅ ମଗା ଯାଇଛିକି ନାହିଁ ବା ତାଙ୍କ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରାଯାଇଛିକି ନାହିଁ ତାହା ଜଣାପଡ଼ିନାହିଁ । ବହିଷ୍କାର ସମ୍ପର୍କରେ ଡାକ୍ତର ରାଉତଙ୍କର ପ୍ରତିକ୍ରିୟା ମଧ୍ୟ ମିଳିନାହିଁ । ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ଦାମ ଜାଣି ସାରିଥିଲେ । ସେଥିପାଇଁ ସେ ଆଗୁଆ କହିଥିଲେ ଯେ ଦଳରୁ ବହିଷ୍କାର କଲେ ତାଙ୍କର କିଛି କ୍ଷତି ହେବନାହିଁ । ଏଥି ସହ ସେ କହିଥିଲେ ଯେ ଦଳ ତିନି ଜଣ ବିଧାୟକ ଓ ଜଣେ ଅଫିସରଙ୍କ ଦ୍ୱାରା ପରିଚାଳିତ । ସେ ଦଳରେ ସେ ନାହାଁନ୍ତି । ତବେ ଆଜି ଦାମଙ୍କ ସ୍ୱର ନରମ ଥିଲା । ନବୀନଙ୍କ ବିରୋଧରେ ସେ କିଛି କହିନାହାନ୍ତି ବୋଲି ସଫେଇ ଦେଇଥିଲେ । ଗତ କିଛିଦିନ ଭିତରେ ଦାମ ଚାରା ଦୁର୍ନୀତି, ସମବାୟ ଦୁର୍ନୀତି, ଓମଫେଡ ଦୁର୍ନୀତି, ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତି ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.