ଜୟପୁର ବାରଣୀପୁଟରେ ଭୁଶୁଡିଲା ଜଳମ୍ପଦ ବିଭାଗର ପରିତ୍ୟକ୍ତ କୋଠା, ଅଳ୍ପକେ ବର୍ତ୍ତିଲେ ୨ ମହିଳା, ଏବେବି ଫଶି ରହିଛି ନାବାଳକ
22/11/2019 at 8:11 PM

ଜୟପୁର ୨୨।୧୧: କୋରାପୁଟ ଜିଲ୍ଲା ଜୟପୁର ସହର ନିକଟ ବାରଣୀପୁଟରେ ଥିବା ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଏକ ପରିତ୍ୟକ୍ତ ଦ୍ୱିତଳ କୋଠା ଶୁକ୍ରବାର ସନ୍ଧ୍ୟାରେ ଭୁଶୁଡି ପଡିଛି । ଫଳରେ ଘର ଭିତରେ ୨ ମହିଳା ଓ ଏକ ନାବାଳକ ଫଶିଯାଇଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଟାଉନ ଥାନା ଓ ଦମକଳ ବିଭାଗ କର୍ମଚାରୀମାନେ ପହଞ୍ଚି ଭଙ୍ଗା ଘରତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ଉଦ୍ୟମ ପରେ ୨ ଜଣ ମହିଳାଙ୍କ କିଛି କିଛି ସମୟ ଅନ୍ତରରେ ଉଦ୍ଧାର କରାଯାଇଥିଲା ବେଳେ ନାବଳକଟି କିନ୍ତୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାହାରି ପାରିନି। ତେବେ ଓଡ୍ରାଫ ଟିମ ପହଞ୍ଚି ସାରିଥିବାରୁ ନାବଳକଟିକୁ ମଧ୍ୟ ସଫଳତାର ସହ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।

ପ୍ରଥମେ ଭଙ୍ଗା ଘର ତଳେ କେତେ ଲୋକ ଫଶି ରହିଛନ୍ତି ତାର ସଠିକ ସୂଚନା ମିଳିପାରିନଥିଲା। ତେବେ ଜଣେ ସ୍ଥାନୀୟ ବାସିନ୍ଦା ଫଶି ରହିଥିବା ଲୋକଙ୍କ ମଧ୍ୟରେ ଏକ ପିଲା ଥିବା କହିବା ପରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା। ଦମକଳ ବିଭାଗ କର୍ମଚାରୀମାନେ ସୁଡଙ୍ଗ କରି ଭଙ୍ଗା ଘରଭିତରକୁ ଯାଇ ପ୍ରଥମେ ଜଣେ ମହିଳାଙ୍କୁ ବାହାର କରିଥିଲେ। ଏହାର ପ୍ରାୟ ଦେଢ ଘଣ୍ଟା ପରେ ଅନ୍ୟ ଜଣେ ମହିଳା ବି ଘର ଭିତରୁ ଉଦ୍ଧାର ହୋଇଥିଲେ। ହେଲେ ଶିଶୁଟି ଘରେ କେଉଁଠି ରହିଯାଇଥିଲା ଜଣାପଡିନଥିଲା।

ଜେସିବି ଲଗାଇ ଘରପର୍ଯ୍ୟନ୍ତ ସଫା କରାଯିବା ପରେ ପୁଣି ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଶିଶୁଟିକୁ ଉଦ୍ଧାର ଲାଗି କସରତ ଜାରି ରହିଛି। ଜଳସମ୍ପଦ ବିଭାଗର ଏହି କୋଠାଟି ଅନେକ ଦିନରୁ ଗାଁ ମୁଣ୍ଡରେ ଅବ୍ୟବହୃତ ଅବସ୍ଥାରେ ଥିଲା। ସେଠାକୁ କେହି ସରକାରୀ ଅଧିକାରୀ କି କର୍ମଚାରୀଙ୍କ ଯାତାୟତ ନଥିବା ବେଳେ ଘରର ଜଗାରଖା ମଧ୍ୟ ହେଉନଥିଲା। ଏଣୁ ସ୍ଥାନୀୟ ଲୋକେ ଘରର ଝରକା କବାଟ କାଢିନେଇଯାଇଥିବା ବେଳେ ଶେଷରେ କୋଠାଟି ମଧ୍ୟ ଭୁଶୁଡିପଡିଛି।