ହାତୀପଲଙ୍କ ଉପଦ୍ରବ: ଭାଙ୍ଗୁଛନ୍ତି ଘର-ନଷ୍ଟ କରୁଛନ୍ତି ଫସଲ, ଚିନ୍ତାରେ ଚାଷୀ
25/01/2021 at 12:37 PM

ତେଲକୋଇ ୨୫।୦୧: ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦୁଲ୍ଲଭପୁର ଗାଁରେ ହାତୀପଲ ପଶି ସୁରେଶ ପରିଡା, ମକା ପରିଡା, ଦିବାକର ପରିଡା,ଉପେନ୍ଦ୍ର ବିଶ୍ବାଳ ପ୍ରମୂଖ ଚାଷୀ ମାନଙ୍କର ଆଳୁ,କୋବି, ମଟର ଓ ବିଲାତି ଫସଲ ଖାଇ ନଷ୍ଟ କରିଛନ୍ତି । ବାରମ୍ବାର ଘର ଭାଙ୍ଗିବା ସହ ଫସଲ ନଷ୍ଟ ହେଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।
ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ ହାତୀ ପଶିଥିବା ସୂଚନା ଦେଲେ ମଧ୍ୟ ଷ୍ଟାପ ନାହିଁ କହି ହାତୀ ଘଉଡାଇବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀଙ୍କୁ ଘଉଡାଇବା ପାଇଁ କର୍ମଚାରୀ ନିଯୁକ୍ତି କରିଛି ବନବିଭାଗ । କିନ୍ତୁ ସେମାନେ ହାତୀ ଘଉଡାବାରେ ବିଫଳ ହେଉଛନ୍ତି ।
ସେପଟେ ହାତୀ ଉପଦ୍ରବ ଯୋଗୁଁ ହାତୀ ଙ୍କ ସୁରକ୍ଷା କୁ ନେଇ ନେସ୍କୋ କର୍ତ୍ତୃପକ୍ଷ ରାତ୍ର ୧୧ଟାରୁ ସମୟରେ ବିଦ୍ୟୁତ କାଟ କରୁଥିବାରୁ ସମସ୍ୟା ଆହୁରି ବଢିଯାଇଛି । ଲୋକେ ଅନ୍ଧାର ରାତିରେ କିଛି ଦେଖିପାରୁନାହାଁନ୍ତି । ହାତୀପଲଙ୍କ ପାଇଁ ଏପଟେ ଫସଲ ନଷ୍ଟ ହେଉଛି ସେପଟେ ଅନ୍ଧାରରେ ରହୁଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।