ଶ୍ରୀହୀନ ହୋଇଛି ସ୍ମାର୍ଟସିଟି ଭୁବନେଶ୍ବର : କାଠ ବେପାରୀ ମାଲାମାଲ, ଆଗକୁ ଜାଳେଣି କାଠର ଭାଳେଣି

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର (ଅମର ପଟ୍ଟନାୟକ) ୧୦|୫: ମହାବାତ୍ୟା ଫୋନି ଯୋଗୁଁ ଶ୍ରୀହୀନ ହୋଇଛି  ରାଜଧାନୀ ଭୁବନେଶ୍ବର ।  ଭୁବନେଶ୍ବରର ଧ୍ବସ୍ତ ଚେହେରା ଦେଖିଲେ କେହି ବିଶ୍ବାସ କରିବ ନାହି ଯେ ଏହି ସହର ସ୍ମାର୍ଟସିଟି ଦୌଡରେ ଥିଲା । ନିଜର ସବୁଜିମା ପାଇଁ ଦେଶ ବିଦେଶର ଲୋକଙ୍କୁ ପ୍ରଭାବିତ କରୁଥିବା ଭୁବନେଶ୍ବରରୁ ସବୁଜିମା ହଜିଯାଇଛି । ରାସ୍ତା କଡଠାରୁ ଆରମ୍ଭ କରି ସହର ତମାମ ଭାଙ୍ଗି ପଡିଛି କିମ୍ବା ଉପୁଡି ପଡିଛି ଲକ୍ଷ ଲକ୍ଷ ଗଛ । ରାସ୍ତା ଉପରୁ ପ୍ରାୟ ଗଛ ଉଠାଇ ଥିବା ବେଳେ କିଛି ଗଛର ଗଣ୍ଡିକୁ ଲୋକେ ନେଇଛନ୍ତି ଆଉ କିଛି ରାସ୍ତା କଡରେ ପଡିରହିଛି ।

ସବୁଠାରୁ ଉଲ୍ଲେଖନୀୟ ଘଟଣା ଅନ୍ୟ ଝଡବତାସ ସମୟରେ ଲୋକେ ଗଛର ଡାଳ କାଟି ନେଇ ଜାଳ ପାଇଁ ସଂରକ୍ଷିତ କରି ରଖୁଥିଲେ । ଚଳିତ ଥର ପ୍ରାୟ ଅଞ୍ଚଳରେ ବସ୍ତି ଓ କଚ୍ଚା ଘର ଭାଙ୍ଗିଥିବା କାରଣରୁ  ଲୋକେ ନିଜ ଘର ସଜଡାରେ ବ୍ୟସ୍ତ ଆଗ ଭଳି ଶହ ଶହ ସଂଖ୍ୟାରେ ଜାଳକାଠ ସଂଗ୍ରହ କରିବା ଦେଖିବାକୁ ମିଳୁନାହିଁ । କିଛି କାଠ  ବ୍ୟବସାୟୀ ଲୋକ ଲଗାଇ ଗଛର ଗଣ୍ଡି ଓ ମୋଟା ମୋଟା ଡାଳକୁ ସଂଗ୍ରହ କରି ରଖୁଛନ୍ତି । ଏପରିକି ଘର ତିଆରି ଯୋଗ୍ୟ କିଛି ନିର୍ଦ୍ଦିଷ୍ଟ ଗଛର ଗଣ୍ଡିକୁ ମଧ୍ୟ ଟ୍ରାକ୍ଟର ଓ ଛୋଟ ଡାଲା ଗାଡି ଲଗାଇ ଉଠାଇ ନେଉଛନ୍ତି ଏହି ବ୍ୟବସାୟୀ । ଟଙ୍କା ରୋଜଗାରର ମାଗଣା ସୁଯୋଗ ମିଳିଯାଇଛି ଏହି କାଠ ବେପାରୀଙ୍କୁ ।

ତେବେ ଜାଳକାଠ ସଂଗ୍ରହରେ ପଛେଇ ଯାଇଛନ୍ତି ଗରିବ ଗୁରୁବା ଓ ଖଟିଖିଆ ଲୋକେ । ଫୋନି ଯୋଗୁଁ ସେମାନଙ୍କ ପେଟପାଟଣା ପ୍ରଭାବିତ ହୋଇଥିବା ବେଳେ ଜାଳକାଠ ସଂଗ୍ରହ ଉପରେ ସେତିକି ଗୁରୁତ୍ବ ଦେବାକୁ ସମୟ ପାଇନାହାନ୍ତି ସେମାନେ ।

ତେବେ ଜାଳେଣୀ କାଠ ଯୋଗ୍ୟ ଗଛର ଡାଳ ଓ ମୂଳ ଶହ ଶହ ଟ୍ରକ ଲଗାଇ ଡମ୍ପିଂ ୟାର୍ଡରେ ଫିଙ୍ଗା ଯାଉଛି । ଗରିବ ଲୋକେ ଗ୍ୟାସ କିମ୍ବା ଷ୍ଟୋଭ୍‌ ଅପେକ୍ଷା କାଠ ଚୁଲି ଉପରେ ନିର୍ଭର କରିଥାନ୍ତି । ରାଜଧାନୀରେ ଥିବା  ବିଭିନ୍ନ ଗାଁ ଓ ବସ୍ତିର ବାସିନ୍ଦା ପୂର୍ବରୁ ବଡ ଗଛର ଶୁଖିଲା ଡାଳକୁ ଭାଙ୍ଗି କିମ୍ବା ଅନାବନା ଗଛର ଡାଳକୁ ନେଇ ଶୁଖାଇ ଜାଳ କରୁଥିଲେ । ରାସ୍ତାକଡ ଝୁମ୍ପୁଡି ହୋଟେଲ ଓ ଜଳଖିଆ ଦୋକାନୀ ମଧ୍ୟ ଜାଳେଣି କାଠର ବ୍ୟବହାର କରିଥାନ୍ତି । ସେମାନେ ମୁଖ୍ୟତଃ ରାଜଧାନୀରେ ଜାଳକାଠ ବିକୁଥିବା ଶହ ଶହ ଖୁଚୁରା ବ୍ୟବସାୟୀଙ୍କ ଠାରୁ ତାଙ୍କର ଚାହିଦା ମେଣ୍ଟାଇଥାଆନ୍ତି ।

ତେବେ ବର୍ତ୍ତମାନ ସ୍ଥିତିରେ ରାସ୍ତାକଡ ଓ ଖୋଲା ଅଞ୍ଚଳରେ ଗଛ ନଷ୍ଟ ହୋଇଯାଇଛି । ଆଗକୁ ଗରିବ ଗୁରୁବାଙ୍କୁ ମାଗଣା ଜାଳକାଠ ମିଳିବା ସମ୍ଭବ ନୁହେଁ । ବର୍ତ୍ତମାନ ଯେତିକି ପରିମାଣରେ ଗଛ ନଷ୍ଟ ହୋଇଛି  ସେଗୁଡିକର ଗଣ୍ଡିକୁ ଛାଡି ଡାଳ ଗୁଡିକୁ ସଂଗ୍ରହ କଲେ ଆଗାମୀ ୨/୩ ବର୍ଷ ପର୍ଯ୍ୟନ୍ତ କାଠ ଚୂଲି ବ୍ୟବହାର କରୁଥିବା ପରିବାର ଗୁଡିକର ଜାଳକାଠ ଚାହିଦା ମେଣ୍ଟି ପାରନ୍ତା ।

ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଗୁଡିକ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଫୋନି ଯୋଗୁଁ ଭାଙ୍ଗିଥିବା ଓ ଉପୁଡି ଯାଇଥିବା ଗଛର କାଠ ସଂଗ୍ରହ କରି ସେଗୁଡିକୁ ମାଗଣାରେ କିମ୍ବା ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କଲେ ଲୋକେ ଉପକୃତ ହୁଅନ୍ତେ । ନହେଲେ ଗଛର ମୂଳ ଓ ଡାଳ ସବୁକୁ ଯେଭଳି ଟ୍ରକରେ ବୋହି ଡମ୍ପିଂ ୟାର୍ଡରେ ପକାଯାଉଛି ତାହା କାହା କାମରେ ଆସିବ ନାହିଁ । ଯଦି କେହି ଦାୟିତ୍ବହୀନ ଭାବେ ଏଥିରେ ନିଆଁ ଲଗାଇଦିଏ ତାହେଲେ ପରିବେଶ ପ୍ରଦୂଷଣ ସହିତ ଶହ ଶହ ଟ୍ରକ ଜାଳେଣି ଯୋଗ୍ୟ କାଠ ନଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.