ଦାମଙ୍କ ତୃତୀୟ ବାଣ : କୁଆଡେ ଗଲା ସମବାୟ ବ୍ୟାଙ୍କ ୭୦୦କୋଟି ଟଙ୍କା ଦୁର୍ନୀତିର ରିପୋର୍ଟ ?
8/09/2018 at 1:31 PM

ଭୁବନେଶ୍ବର ୮/୯ : ଫାୟାରିଂ ମୋଡ୍ରେ ଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି ତାଙ୍କ ତୁଣୀରରୁ ତୃତୀୟ ଆଗ୍ନେୟାସ୍ତ୍ର ମାରିଛନ୍ତି । ଦାମ ଆଜି ସମବାୟ ବ୍ୟାଙ୍କରେ ହୋଇଥିବା ୭୦୦କୋଟିର ଋଣ ଦୁର୍ନୀତି ଓ ୩୭ କୋଟି ଟଙ୍କାର କମ୍ପୁଟରୀକରଣ ଦୁର୍ନୀତି ବିଷୟରେ ପ୍ରଶ୍ନ ଉଠାଇଛନ୍ତି । ସେ ସମବାୟମନ୍ତ୍ରୀ ଥିବାବେଳେ ଧାରା ୬୫ ଅନୁସାରେ ଏହି ସବୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେ ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ଦାମ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଏମ୍ଡି ତୁଷାର ପଣ୍ଡା ଏହି ଦୁର୍ନୀତିରେ ସାମିଲ ବୋଲି ଦାମ କହିବା ସହ ତାଙ୍କୁ ଘଣ୍ଟ ଘୋଡାଯାଉଥିଲା ବୋଲି କହିଛନ୍ତି । ଏହି ଦୁର୍ନୀତି ପାଇଁ ରାଜ୍ୟ ସମବାୟ ବ୍ୟାଙ୍କର ବହୁ କର୍ମଚାରୀ ନିଲମ୍ବିତ ହୋଇଥିଲେ । କମ ସୁଧରେ ନାବାର୍ଡରୁ ଋଣ ଆଣି ସମବାୟ ସଂସ୍ଥାମାନଙ୍କୁ ଋଣ ପ୍ରଦାନ କରିବା ବେଳେ ଯେଉଁ ନିୟମ ଓ ସତର୍କତା ଅବଲମ୍ବନ କରିବା କଥା ତାହା କରାଯାଇନାହିଁ । ବ୍ୟକ୍ତଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି ସବୁ କରାଯାଇଛି ବୋଲି ଦାମ କହିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ୭୦୦ ସମବାୟ ବ୍ୟାଙ୍କର କମ୍ପୁଟରୀକରଣରେ ପାଖାପାଖି ୩୭କୋଟି ଟଂକାର ଦୁର୍ନୀତି ହୋଇଥିବା ଦାମ କହିଛନ୍ତି। ନିର୍ଦ୍ଦିଷ୍ଟ ଏକ ଫାର୍ମକୁ ଅନୁଗ୍ରହ ଦେଖାଇ ୬ କୋଟିଟଙ୍କାର କମ୍ପୁଟର ଚଢାଦରରେ କିଣାଯାଇଥିଲା । ଏ ସମ୍ପର୍କରେ ତଦନ୍ତ କରିବା ସହ ଆଇଆଇଟି ଖଡଗପୁରର ପରାମର୍ଶ ନେଇ କମ୍ପୁଟରୀକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ବୋଲି ଦାମ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନ ଆରମ୍ଭ ହେବା ପରଠୁ ଦାମ ଫାୟାରିଂ ମୋଡରେ ଅଛନ୍ତି। ପ୍ରଥମେ ସେ ବାରିପଦା ଓ ରାଜ୍ୟର ଅନ୍ୟାନ୍ୟ ଯାଗାରେ ହୋଇଥିବା ଚାରା ଘୋଟାଲା ପ୍ରସଂଗ ଉଠାଇଥିଲେ । ଦାମଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କୃଷିମନ୍ତ୍ରୀ ୧୭ କୋଟିଟଂକାର ଚାରା ଘୋଟାଲା ହୋଇଛି ବୋଲି ସ୍ବୀକାର କରିଥିଲେ । କିନ୍ତୁ ଦାମ ଏହି ଦୁର୍ନୀତିର ପରିମାଣ ୧୦୦କୋଟି ବୋଲି ଗଣମାଧ୍ୟମକୁ କହିଥିଲେ । କେବଳ ସେତିକି ନୁହେଁ ଏହି ଦୁର୍ନୀତିକୁ ସେ ପଦାକୁ ଆଣିଥିବାରୁ ତାଙ୍କ ମନ୍ତ୍ରୀପଦ ଗଲାବୋଲି ଦାମ କହିଥିଲେ । ଏହା ପରେ ପରେ ଦାମ ଉଠାଇଥିଲେ ଓମଫେଡ୍ରେ ପଲିଥିନ କିଣାରେ ୩୦ କୋଟିଟଂକାର ଦୁର୍ନୀତି ହୋଇଛି ବୋଲି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହାକୁ ଅସ୍ବୀକାର କରିଥିଲେ ।
ଆଜି ଦ୍ବିତାୟ ଶନିବାର ହେତୁ ବିଧାନସଭା ବଂଦ ରହିଛି । ତେବେ ଗତକାଲି ହିଁ ଦାମ ଗଣମାଧ୍ୟମକୁ ସଂକେତ ଦେଇଥିଲେ ଯେ, ଶନିବାର ଛୁଟି ହୋଇଥିଲେ ମଧ୍ୟ ସେ ତୃତୀୟ ବୋମା ପକାଇବେ । ସେହି ଅନୁସାରେ ଆଜି ଦାମଙ୍କ ପାଖରେ ଗଣମାଧ୍ୟମ ପ୍ରତିନିଧି ପହଂଚିବାପରେ ସେ ସମବାୟ ଦୁର୍ନୀତି ପ୍ରଂଗ ଉଠାଇଛନ୍ତି । ଦାମଙ୍କ ଏଭଳି ଆଭିମୁଖ୍ୟ ଏବେ ସରକାରୀ ଦଳକୁ ଅଡୁଆରେ ପକାଇଛି। ଦାମଙ୍କୁ ବିଜେଡିରେ ଗୁରୁତ୍ବ ଦିଆଯାଉନାହିଁ ବୋଲି ସେ କ୍ଷୁବ୍ଧ ହୋଇ ଏପରି କରୁଥିବା ଦଳର କିଛି ଯୁବନେତା କହିଛନ୍ତି। ଏହା ବ୍ୟତୀତ ଆସନ୍ତା ନିର୍ବାଚନ ବେଳେ ଟିକଟ ନମିଳିବା ନେଇ ଦାମ ଆଶଂକିତ ହୋଇପଡିଥିବା ମଧ୍ୟ କୁହାଯାଉଛି । କଟକ ବାରବାଟୀ ଆସନରୁ ଲଢିବା ପାଇଁ ସୁବାସ ସିଂଙ୍କୁ ଟିକଟ ମିଳିବ ଏବଂ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପରୁ ଟିକେଟ ପାଇବେ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟ ଦାମଙ୍କୁ ପ୍ରତିକ୍ରୀୟାଶୀଳ କରିଛି ବୋଲି ଚର୍ଚ୍ଚା ହେଉଛି।