Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇଦିନ ଦାମ ତୁଣ୍ଡକୁ ଦେବେ ବିଶ୍ରାମ, ମଙ୍ଗଳବାର ମାରିବେ ୪ର୍ଥ ବାଣ

9/09/2018 at 1:17 PM

ଭୁବନେଶ୍ବର ୯|୯: ରବିବାର ଓ ସୋମବାର ନିଜ ତୁଣ୍ଡକୁ ବିଶ୍ରାମ ଦେବେ ଦାମ । ମଙ୍ଗଳବାର ତାଙ୍କ ୪ର୍ଥ ବାଣ ମାରିବେ । ଏଭଳି ଏକ ଚର୍ଚ୍ଚା ଗଣମାଧ୍ୟମରେ ଜୋର ଧରୁଛି। କିନ୍ତୁ ମଙ୍ଗଳବାର ଦାମ କୋଉ ବାଣ ଅର୍ଥାତ କୋଉ ବିଭାଗର ଦୁର୍ନୀତି ସଂପର୍କରେ କହିବେ ତାକୁ ନେଇ ଏବେଠାରୁ କଲ୍ପନା ଜଳ୍ପନା ପ୍ରକାଶ ପାଇଛି । କୁହାଯାଉଛି ଡାକ୍ତର ଦାମୋଦର ରାଉତ ଅତୀତରେ ଯେଉଁ ଯେଉଁ ବିଭାଗର ମନ୍ତ୍ରୀ ଥିଲେ ଏବଂ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ ସେହି ସବୁ ବିଭାଗର ଦୁର୍ନୀତି ଗୋଟିଏ ପରେ ଗୋଟିଏ ଖୋଲିବେ । ଏବେ ଦାମଙ୍କ ମୁଡକୁ ଦେଖି କିଛି ସୂଚନା ଅଧିକାର କର୍ମୀ ମଧ୍ୟ ଦାମଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଦାମ ଚାରା ଦୁର୍ନୀତି ଏବଂ ଓମଫେଡ୍, ପଲିଥିନ୍ ଦୁର୍ନୀତି ବିଷୟରେ କହିବା ପରେ ସୂଚନା ଅଧିକାର କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଉତ୍ସାହିତ ହୋଇ ଦାମ ତୃତୀୟ ବାଣରେ ସମବାୟ ଦୁର୍ନୀତି କଥା ଉଠାଇଥିଲେ । ଅପରପକ୍ଷରେ ମଙ୍ଗଳବାର ଦାମ କୋଉ ଦୁର୍ନୀତି ସଂପର୍କରେ କହିବେ ତାକୁ ଶାସକଦଳ ମଧ୍ୟ ଅପେକ୍ଷା କରିଛି ।

ଏପଟେ ଦାମଙ୍କୁ କାଉଣ୍ଟର କରିବା ପାଇଁ କଣ ନିର୍ଦ୍ଧିଷ୍ଟ ରଣନୀତି ଗ୍ରହଣ କରାଯିବ ତାହା ଦଳ ସ୍ଥିର କରିପାରିନାହିଁ । ତେବେ ଦାମଙ୍କ କୌଣସି ବିବୃତ୍ତି ଉପରେ ଅଧିକ ପ୍ରତିକ୍ରିୟାଶୀଳ ନହେବା ପାଇଁ ଦଳ ବର୍ତ୍ତମାନ ଲାଗି ସ୍ଥିର କରିଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଫଳ ସ୍ବରୂପ ଦାମ ସମବାୟ ଦୁର୍ନୀତି କଥା ଉଠାଇବା ପରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅତି ଶିଥିଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଏପଟେ ମଙ୍ଗଳବାର ଦିନ ଦାମ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ କିଛି ଦୁର୍ନୀତି ସମ୍ପର୍କରେ କହିପାରନ୍ତି ବୋଲି ଦାମଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି ।

ଦାମଙ୍କ ଦୁର୍ନୀତି ପେଡି ଖୋଲିବା ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଉତ୍ସାହିତ ହୋଇପଡିଛନ୍ତି । ଏପରିକି ଦାମ ବିଜେପିରେ ଯୋଗ ଦେବେ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କେହି କେହି ଆଲୋଚନା କରିବାକୁ ମଧ୍ୟ ଛାଡିନାହାନ୍ତି । କିନ୍ତୁ ଅସଲ କଥା ହେଲା ଏହା ଦାମଙ୍କ ପ୍ରେସର ଟାକ୍ଟିସ ବୋଲି କୁହାଯାଉଛି ।

   Related Posts