Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାହାସ ପାଉନି ଦାମଙ୍କର, ଗଢିବେନି ନୂଆଦଳ : ବୈଜୟନ୍ତଙ୍କୁ ଛାଡିଦେଲେ ଅନ୍ୟ ବିଜୁ ଅନୁଗତ ବି ଖୋଲାଖୋଲି ବାହାରୁନାହାଁନ୍ତି

15/09/2018 at 6:01 PM

ଭୁବନେଶ୍ବର ୧୫|୯: ବିଜେଡିରୁ ବିଦା ହେବା ପରେ ଦାମଙ୍କ ଦାମ୍ କମୁଛି କି ? ନା କିଛି ନୂଆ କରି ଦାମ ତାଙ୍କ ଦମ୍ ଦେଖାଇବେ ? ଗତକାଲି ଦାମଙ୍କ ନିଜ ନିର୍ବାଚନ ମଣ୍ଡଳି ଗସ୍ତବେଳେ ଆଖିଦୃଶିଆ କର୍ମୀ ତାଙ୍କୁ ଭେଟିବାକୁ ନଆସିବା ଏଭଳି କିଛି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । କେବଳ ସେତିକି ନୁହେଁ ବୈଜୟନ୍ତଙ୍କୁ ଛାଡିଦେଲେ ବିଜେଡିରେ ନଥିବା ବିଜୁ ଅନୁଗତମାନେ ମଧ୍ୟ ଖୋଲାଖୋଲି ଦାମଙ୍କ ପାଇଁ ବାହାରୁନାହାଁନ୍ତି। ଦାମଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

ଦାମ କିନ୍ତୁ ଏକ ବଡ଼ ଗେମ୍ ପ୍ଲାନର ସଙ୍କେତ ଦେଇଛନ୍ତି । ନିଜେ ଦଳ ନଗଢି ବିଜୁ ପ୍ରେମୀଙ୍କ ଭିତରୁ ଯିଏ ଦଳ କି ନୂଆ ମଞ୍ଚ ଗଢିବ ସେଥିରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି ଦାମ ବାବୁ । ଦାମଙ୍କ ପାଇଁ କଣ ବିକଳ୍ପ ? ଦାମ କହିଥିବା ସବୁ କଥା କଣ କାମରେ କରି ଦେଖାଇ ପାରିବେ ? ସେ ଟାଣ ପଣ ଫିକା ପଡ଼ିଯିବନି ତ ? ବିଜେଡିରୁ ବହିଷ୍କାର ପରେ ଦାମବାବୁଙ୍କ ପରବର୍ତ୍ତୀ ପଦକ୍ଷେପକୁ ଏମିତି କିଛି ଆଶା ଆଶଙ୍କାରେ ଅପେକ୍ଷା କରିଛି ରାଜନୈତିକ ମହଲ । ପ୍ରକୃତରେ ଦାମ ଦମ୍ ଦେଖାଇବେ ନା ଅନ୍ୟ ବିତାଡ଼ିତ ବିଜେଡି ନେତାଙ୍କ ଭଳି ନିସ୍ପ୍ରଭ ହୋଇଯିବେ ?

ଦାମ କିନ୍ତୁ କହୁଛନ୍ତି ସେ ନୂଆ ଦଳ ଗଢ଼ିବେନି । କିନ୍ତୁ ବିଜୁ ପ୍ରେମୀ ନେତାମାନେ ଯଦି ବିକଳ୍ପ ମଞ୍ଚ କିମ୍ବା ଦଳ କରନ୍ତି, ତେବେ ସେ ସାମିଲ୍ ହେବେ । ଦାମଙ୍କ ଏଭଳି ମନ୍ତବ୍ୟ ସୂଚାଇ ଦେଉଛି ଯେ, ସେ ବ୍ୟାକଫୁଟକୁ ଆସିଗଲେଣି । ନିଜେ ଦଳ ଗଢ଼ି ବିଜେଡିକୁ ସବକ୍ ଶିଖାଇବା ଅସମ୍ଭଭ ବୋଲି ସେ ଜାଣି ନେଇଛନ୍ତି । ତେଣୁ ବିଜେଡି ବିରୋଧୀଙ୍କୁ ନେଇ ଭୋଟ କାଟିବା ଯୋଜନାରେ ଅଛନ୍ତି ।

ଦାମଙ୍କ ସ୍ଥିତି ଆଗକୁ ସୁଦୃଢ ହେବ କି ଦୁର୍ବଳ ହେବ, ତାହା ସମୟ କହିବ । କିନ୍ତୁ ଗତକାଲି କୁଜଙ୍ଗ ଓ ପାରାଦୀପ ଗସ୍ତ ବେଳେ ସ୍ଥାନୀୟ ଛାମୁଆ ନେତାଙ୍କ ଭିଡ଼ କମ୍ ଥିଲା । ତଥାପି ଏହି ଦୁଇ ସ୍ଥାନରେ ଦାମ ବାବୁ ଖୁବ୍ ଶୀଘ୍ର ୨ଟି ବଡ଼ ସଭା କରିବା ଯୋଜନାରେ ଅଛନ୍ତି । ଯେଉଁଠି ସେ ବିଜେଡିରୁ ବିତାଡିତ ଏବଂ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ଦମ୍ ଦେଖାଇ ପାରନ୍ତି । ସାରା ଓଡ଼ିଶା ବୁଲି ସରକାର ବିରୋଧୀ ଜନମତ ସୃଷ୍ଟି କରିବେ ବୋଲି କହିଲେଣି । ତେବେ ବିଜୁପ୍ରେମୀଙ୍କୁ ନେଇ ନୂଆ ଦଳ କିମ୍ବା ମଞ୍ଚ ଗଠନ ଫର୍ମୂଲାକୁ ବିଜେପି କିମ୍ବା କଂଗ୍ରେସ ସମର୍ଥନ କରୁନାହାଁନ୍ତି । ବିଜୁ ନାଁ ବିକି ବିଜେଡି ଓଡ଼ିଶା ଲୋକଙ୍କୁ ବହୁତ ଭୁଆଁ ବୁଲାଇଛି । ତେଣୁ ଲୋକେ ଆଉ ସହଜରେ ତାହା ଗ୍ରହଣ କରିବା ମୁଡରେ ନଥିବା କହିଛନ୍ତି ବିରୋଧୀ ।

ଦାମଙ୍କ ଯୁକ୍ତି, ଦୁର୍ନୀତି ଏବେ ରାଜ୍ୟ ରାଜନୀତିର ପ୍ରମୁଖ ମୁଦ୍ଦା । ତେଣୁ ଆଗକୁ ସେ ଏହି ପ୍ରସଙ୍ଗ ଜୋରଦାର କରିବେ । ସେପଟେ ବିଜେପି ବି ଦାମ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗକୁ ଖିଅ କରିଛି । ଖୁବ୍ ଶୀଘ୍ର ଏନେଇ ଦଳ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି । ଏହାସହ ଦଳ ଏକ ପୋଷ୍ଟର ବି ରିଲିଜ୍ କରିଛି । ଯାହା ଲାଗୁଛି ଦାମଙ୍କ ଇସ୍ୟୁକୁ ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଗକୁ ରାଜନୈତିକ ରୋଟି ସେକିବା ଯୋଜନାରେ ଅଛନ୍ତି ।

   Related Posts