ହାରିଗଲେ ମହାରଥୀ, ସରୁନାହିଁ ରାଜନୀତି: ପ୍ରଦୀପଙ୍କ ଇସ୍ତଫା ଆଳରେ ନବୀନଙ୍କୁ ଟାର୍ଗେଟ କଲେ ଦାମ

Published By : Prameya-News7 Bureau | January 06, 2019 IST

ଭୁବନେଶ୍ବର ୬|୧: ପ୍ରଦୀପ ମହାରଥୀଙ୍କ ଇସ୍ତଫାରେ ବେଶୀ ଖୁସୀ ହୋଇଛନ୍ତି ନିକଟରେ ବିଜେଡିରୁ ବହିସ୍କୃତ ହୋଇଥିବା ଦାମୋଦର ରାଉତ । ପଞ୍ଚାୟତିରାଜ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ପ୍ରତିକ୍ରିୟାରେ ଦାମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଏଠାରେ ପ୍ରଦୀପ ମହାରଥୀଙ୍କ କଥା ଉଠୁନାହିଁ, ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ଉଠୁଛି | ବ୍ରାହ୍ମଣମନକୁ ଦାମୋଦର ରାଉତ ଭିକାରି କହିଥିବା ପ୍ରସଙ୍ଗରେ ରାତି ଅଧାରେ ମୁଖ୍ୟମନ୍ତ୍ରୀ ଦାମୋଦର ରାଉତଙ୍କୁ ବିଦା କରିଦେଇଥିଲେ | ଏନେଇ ନବୀନ ତାଙ୍କୁ କିଛି ନପଚାରି ଦଳରୁ ବିଦା କରିଦେଇଥିଲେ | ତେବେ ପ୍ରଦୀପ ମହାରଥୀଙ୍କ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଡିତ ଥିବା ସତ୍ୱେ ଏତେ ଦିନ କାହିଁକି କିଛି ପଦକ୍ଷେପ ନେଇ ନଥିଲେ ବୋଲି ଦାମ ନବୀନଙ୍କୁ ଆକ୍ଷେପ କରି କହିଛନ୍ତି | ଡାଲି ଦୁର୍ନୀତିରେ ଯେଉଁ ଜିଲ୍ଲାପାଳମାନେ ସମ୍ପୃକ୍ତ ସେହି ମାମଲାରେ ୨୦୧୨ ମସିହାରୁ ପଡିଛି କିନ୍ତୁ ତା ଉପରେ କାହିଁକି କେହି ଗୁରୁତ୍ୱ ଦେଉନାହାନ୍ତି ବୋଲି କହିଛନ୍ତି ଦାମ | ତେବେ ମୁଖ୍ୟମନ୍ତ୍ରୀଙ୍କ ମାନସିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ | ସେ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛ ତାହେଲେ ତାଙ୍କ ମନ୍ତ୍ରୀମାନେ ମଧ୍ୟ ସ୍ୱଚ୍ଛ ହେବେ |

ଯେତେବେଳେ ଚାରା ଦୁର୍ନୀତି ମାମଲା ବିଧାନସଭାରେ ଉଠିଲା ସେତେବେଳେ ପ୍ରଦୀପ ମହାରଥୀ ଦାମଙ୍କୁ ଆକ୍ଷେପ କରିଥିଲେ | ପ୍ରଦୀପଙ୍କ ଆକ୍ଷେପରେ ନବୀନ କହିଥିଲେ ହାସ୍ୟାସ୍ପଦ | ତେଣୁ ମୁଖ୍ୟମନ୍ତ୍ରୀଙ୍କ ମାନସିକତା କଣ ସେଥିରୁ ଜଣାପଡୁଛି ବୋଲି କହିଛନ୍ତି ଦାମ | ସେ ଆହୁରି କହିଛନ୍ତି ଯେ, ପ୍ରଦୀପ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇନାହାନ୍ତି | କାରଣ ମହାରଥୀଙ୍କ ନୈତିକତା ନାହିଁ | ବରଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏତେ ଜୋରରେ ଚାପ ପଡିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମହାରଥୀଙ୍କୁ ବୁଝାଇ ସୁଝାଇ ଇସ୍ତଫା ଦେବା ପାଇଁ କହିଥିଲେ | ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ କହିବାପରେ ମହାରଥୀ ଇସ୍ତଫା ଦେଇଛନ୍ତି ବୋଲି ଦାମ ଦୃଢର ସହ କହିଛନ୍ତି | ମହାରଥୀ ନିଜ ଇଚ୍ଛାରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କଥାକୁ ଅସ୍ବୀକାର କରିଛନ୍ତି ଦାମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.