ନବୀନଙ୍କ ଜନ୍ମଦିନ ବିଷୟରେ ପଚାରିବାରୁ ରାଗିଗଲେ ଦାମ ; କହିଲେ ଏମିତି କିଛି ...

Published By : Prameya-News7 Bureau | October 16, 2018 IST

ଭୁବନେଶ୍ୱର ୧୬/୧୦ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ | ତେବେ ତିତିଲି ବାତ୍ୟା ଓ ତାର ପରବର୍ତ୍ତୀ ବନ୍ୟାରେ ରାଜ୍ୟର ପାଖାପାଖି ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି | ତଥାପି ଆଜି ବିଜେଡି ଓ ବିରୋଧୀ ଦଳର ନେତା ମାନେ ନବୀନ ନିବାସ ନଯାଇ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇଛନ୍ତି | ନିକଟରେ ବିଜେଡିରୁ ବହିଷ୍କାର ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ କିନ୍ତୁ ନବୀନଙ୍କ ଜନ୍ମ ଦିନ ନପାଳିବା ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି | ଜନ୍ମଦିନରେ ନବୀନଙ୍କୁ କିଭଳି ଶୁଭେଚ୍ଛା ଜଣେଇବେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଡାକ୍ତର ଦାମୋଦର ରାଉତ ଚିଡି ଯାଇଥିଲେ | କହିଥିଲେ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବାତ୍ୟାରେ କେତେ ଲୋକଙ୍କ ପ୍ରାଣ ହାନି ହେଲା ତାର ଖବର ରଖନ୍ତି ନାହିଁ ସେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତଙ୍କ ପାଇଁ ଜନ୍ମଦିନ ପାଳୁନାହାଁନ୍ତି ବୋଲି କହିବାର ଅର୍ଥ କଣ ? କେବଳ ମୁଖ୍ୟମନ୍ତ୍ରୀ ନୁହଁ ଡାକ୍ତର ରାଉତ ଗଂଜାମ ଜିଲ୍ଲାର ଅନ୍ୟତମ ନେତା ତଥା କ୍ୟାବିନେଟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି | ସୂର୍ଯ୍ୟ ପାତ୍ର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ବୋଲି ଡିଣ୍ଡିମ ପିଟୁଛନ୍ତି | ତାଙ୍କ ଜିଲ୍ଲାରେ ବାତ୍ୟା ହୋଇ ଲୋକ ମୃତ୍ୟୁ ବରଣ କରୁଛନ୍ତି, ଏପଟେ ମନ୍ତ୍ରୀ କିନ୍ତୁ ଜିରୋ କାଜୁଆଲଟି କଥା କହି ବାହା ବାହା ନେଉଛନ୍ତି | ନିଜେ ଜନ୍ମଦିନ ପାଳନ କରିବେ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାର | ତାର ଖବରକାଗଜକୁ ଜଣେଇବାର କଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି | ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କଲେ କି ନକଲେ ବାତ୍ୟା କ୍ଷତିଗ୍ରସ୍ତ ହୋଇଥିଲା ଲୋକଙ୍କର ଦୁର୍ଦ୍ଦଶା ଦୂର ହେଇଯିବ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି | ନିଜ ଜନ୍ମ ଦିନକୁ କାହିଁକି ରାଜନୀତିକରଣ କରୁଛନ୍ତି ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି | ବାତ୍ୟା କ୍ଷୟକ୍ଷତି ପରିପ୍ରେକ୍ଷୀରେ କେନ୍ଦ୍ରଠୁ ସହାୟତା ନେବିନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଡାକ୍ତର ରାଉତ ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ରାଜ୍ୟ ଋଣ ଭାରରେ ବୁଡିରହିଛି | ଋଣର ପରିମାଣ ୭୪ ହଜାର କୋଟି ଟଙ୍କା ଟପିଲାଣି | ଅତି ଶୀଘ୍ର ଏହା ୯୬ ହଜାର କୋଟି ରେ ପହଂଚିବ | ଏଭଳି ସ୍ଥିତିରେ କେନ୍ଦ୍ରୀୟ ସହାୟତାକୁ ଅଣଦେଖା କରିବା ମୂର୍ଖାମୀ ବୋଲି ସେ କହିଛନ୍ତି | ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହାୟତା ଦେବ ଏବଂ ରାଜ୍ୟ ସହାୟତା ନେବ ବୋଲି ବ୍ୟବସ୍ଥା ରହିଛି | କେହି କାହା ପାକେଟରୁ ଦେଉନାହିଁ କି କେହି କାହା ଘରକୁ ନେଉନାହିଁ | ସମ୍ବିଧାନର ଏ କଥାଟିକୁ ନବୀନ ବୁଝିବା ଦରକାର ବୋଲି ଦାମ କହିଛନ୍ତି | ଏ ଅବସରରେ ନିକଟରେ ଟ୍ରାନ୍ସପାରେନ୍ସି ଇଣ୍ଟର୍ନେସନ୍ୟାଲ ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କରେ ଦେଇଥିବା ରିପୋର୍ଟକୁ ମଧ୍ୟ ଦାମ ଅବତାରଣା କରିଥିଲେ | ଧାନ ସଂଗ୍ରହରେ ଭୁଲ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର ଚଳିତବର୍ଷ ୪୫ କୋଟି ଟଙ୍କା ରାଜସ୍ୟ ହରାଇଛନ୍ତି | ଏହି ବିଷୟରେ ମୁଖ୍ୟମନ୍ତ୍ରୀ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି | ମୁଖ୍ୟ ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଦାମ ଟାର୍ଗେଟ କରିଛନ୍ତି | ବାତ୍ୟା ପରିଚହଳନ କ୍ଷେତ୍ରରେ ସେ ବିଫଳ ହୋଇଥିବା ବେଳେ ଗଂଜାମରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ଦେଇଥିବା ଟିପ୍ପଣୀକୁ ଦାମ କଡା ଭାଷାରେ ସମାଲୋଚନା କରିଛନ୍ତି | ବାତ୍ୟା ଯୋଗୁଁ ନୁହେଁ ବରଂ ନିଜ ଭୁଲ ପାଇଁ ଗଂଜାମରେ ୨ଜଣଙ୍କ ମୃତ୍ୟୁ ଘଟିଲା ବୋଲି ମୁଖ୍ୟ ରିଲିଫ କମିଶନର କହିଥିଲେ | ଏଭଳି ଉକ୍ତି ଅତ୍ୟନ୍ତ ଅମାନବୀୟ ବୋଲି ଦାମ କହିଛନ୍ତି | ଅତୀତରେ ବା ବିଜୁ ଜନତା ଦଳରେ ଥିବାବେଳେ କେବେ ସେ ନବୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣେଇବାକୁ ଯାଇନାହାନ୍ତି ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.