ଦିଲ୍ଲୀରେ ପହଁଚିଲେ ଦାମ, ମିଶିବେ ବିଜେପିରେ

Published By : Prameya-News7 Bureau | March 14, 2019 IST

ନୂଆ ଦିଲ୍ଲୀ ୧୪/୩ : ଶେଷରେ ଦାମ ବିଜେପିରେ ଯୋଗ ଦେବା ପାଇଁ ପହଂଚିଛନ୍ତି ଦିଲ୍ଲୀରେ | ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦାମଙ୍କର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ | ଦାମ କେଉଁ ଦଳକୁ ଯିବେ ତାକୁ ନେଇ ଦୀର୍ଘ ଦିନ ଧରି ଲାଗିରହିଥିବା କଳ୍ପନା ଜଳ୍ପନାର ଶେଷରେ ଅବସାନ ଘଟିଛି | ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିବା ପାଇଁ ଯେଉଁ ଦଳ ଆନ୍ତରିକତାର ସହ କାମ କରିବ ସେହି ଦଳକୁ ସେ ସହଯୋଗ କରିବେ ବୋଲି ଦାମ ବରାବର କହିଆସୁଥିଲେ | ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରାଶଣ୍ଢା ନେବା ପାଇଁ ସଂକଳ୍ପ କରିଥିବା ଦାମ ଏବେ ପଦ୍ମ ଫୁଲ ଧରି ଯୁଦ୍ଧ ମୈଦାନକୁ ଓହ୍ଲାଇବେ |

୩ ଦିନ ତଳେ ବିଜେପିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଦାମ ଦିଲ୍ଲୀ ଯାଇ ବିଜେପିର ଓଡିଶାର ପ୍ରଭାରୀ ଅରୁଣ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଫେରିଥିଲେ | ଫେରିବା ପରେ ଗାନ ମାଧ୍ୟମକୁ ଦାମ କହିଥିଲେ ଯେ, ସେ ବିଜେପିରେ ମିଶିବାର ନାହିଁ | ତେବେ ବିଜେପି ସାମ୍ନାରେ ସେ କେତେକେ ସର୍ତ୍ତ ରଖିଛନ୍ତି | ଏହି ସର୍ତ୍ତ ପୂରଣ ହେଲେ ତାଙ୍କ ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳ ବିଜେପି ସହ ମେଣ୍ଟ କରିବ | କିନ୍ତୁ ପରବର୍ତ୍ତୀ ସମୟରେ ଦାମଙ୍କ ଯୋଜନା ବଦଳି ଯାଇଛି | ମେଣ୍ଟ ବଦଳା ସେ ସିଧାସଳଖ ବିଜେପିରେ ଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି |


ପାରାଦୀପର ଲୁଣି ପାଣିରେ କେବେ ପଦ୍ମ ଫୁଲ ଫୁଟିବା ନାହିଁ ବୋଲି କହି ଆସୁଥିବା ଦାମ ଗତଥର ଦିଲ୍ଲୀରେ ଫେରିବା ପରେ କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ଅସମ୍ଭବକୁ ମଧ୍ୟ ସମ୍ଭବ କଲାଣି | ତେଣୁ ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟିବା ସମ୍ଭବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.