Tuesday, March 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିରେ ମିଶିଲେ ଡାକ୍ତର ଦାମୋଦର ରାଉତ

ନୂଆଦିଲ୍ଲୀ ୧୪/୩ : ବିଜେଡିରୁ ବହିଷ୍କୃତ ନେତା ଡ.ଦାମୋଦର ରାଉତ ଆଜି ସନ୍ଧ୍ୟାରେ ଦିଲ୍ଲୀ ଠାରେ ବିଜେପିରେ ମିଶିଛନ୍ତି | ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି | ଏହି ମିଶ୍ରଣ ପର୍ବରେ ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ଦାମ ବିଜେପିରେ ଯୋଗ ଦେବା ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି ମିଶ୍ରଣ ପର୍ବରେ ଅରୁଣ ସିଂ ଓ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି |

ଦାମ କେଉଁ ଦଳକୁ ଯିବେ ତାକୁ ନେଇ ଦୀର୍ଘ ଦିନ ଧରି ଲାଗିରହିଥିବା କଳ୍ପନା ଜଳ୍ପନାର ଶେଷରେ ଅବସାନ ଘଟିଛି | ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିବା ପାଇଁ ଯେଉଁ ଦଳ ଆନ୍ତରିକତାର ସହ କାମ କରିବ ସେହି ଦଳକୁ ସେ ସହଯୋଗ କରିବେ ବୋଲି ଦାମ ବରାବର କହିଆସୁଥିଲେ | ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସଂକଳ୍ପ କରିଥିବା ଦାମ ଏବେ ପଦ୍ମ ଫୁଲ ଧରି ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି |

୩ ଦିନ ତଳେ ବିଜେପିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଦାମ ଦିଲ୍ଲୀ ଯାଇ ବିଜେପିର ଓଡିଶାର ପ୍ରଭାରୀ ଅରୁଣ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ଫେରିଥିଲେ | ଫେରିବା ପରେ ଗଣମାଧ୍ୟମକୁ ଦାମ କହିଥିଲେ ଯେ, ସେ ବିଜେପିରେ ମିଶିବାର ନାହିଁ | ତେବେ ବିଜେପି ସାମ୍ନାରେ ସେ କେତେକେ ସର୍ତ୍ତ ରଖିଛନ୍ତି | ଏହି ସର୍ତ୍ତ ପୂରଣ ହେଲେ ତାଙ୍କ ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳ ବିଜେପି ସହ ମେଣ୍ଟ କରିବ | କିନ୍ତୁ ପରବର୍ତ୍ତୀ ସମୟରେ ଦାମଙ୍କ ଯୋଜନା ବଦଳି ଯାଇଛି | ମେଣ୍ଟ ବଦଳା ସେ ସିଧାସଳଖ ବିଜେପିରେ ଯୋଗ ଦେଇଛନ୍ତି |


ପାରାଦୀପର ଲୁଣି ପାଣିରେ କେବେ ପଦ୍ମ ଫୁଲ ଫୁଟିବ ନାହିଁ ବୋଲି କହି ଆସୁଥିବା ଦାମ ଗତଥର ଦିଲ୍ଲୀରୁ ଫେରିବା ପରେ କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ଅସମ୍ଭବକୁ ମଧ୍ୟ ସମ୍ଭବ କଲାଣି | ତେଣୁ ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟିବା ସମ୍ଭବ |

936 Views

   ସମ୍ବନ୍ଧିତ ଖବର