Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଦାମଙ୍କ ନୂଆ ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ'(ବିଏସକେଡ଼ି): ଜାଣନ୍ତୁ କେଉଁମାନେ ଦଳରେ ସାମିଲ ହେବା ସମ୍ଭାବନା

10/11/2018 at 7:06 PM

ଭୁବନେଶ୍ୱର ୧୦/୧୧ : ନିଜ ଆଞ୍ଚଳିକ ଦଳ ପାଇଁ ଡାକ୍ତର ଦାମୋଦର ରାଉତ ନାଁ ଘୋଷଣା କରିଛନ୍ତି | ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ’ ହେବ ବୋଲି ଦାମ ସୂଚନା ଦେଇଛନ୍ତି | ଦିନେ ଦୁଇଦିନ ଭିତରେ ଦଳର ସମ୍ପୂର୍ଣ ରୂପରେଖ ପ୍ରକାଶ ପାଇବ ବୋଲି ସେ କହିଛନ୍ତି | ଦୁଇଦିନ ତଳେ ଦାମ କହିଥିଲେ ଯେ, ଏହି ମାସ ଶେଷ ସୁଦ୍ଧା ତାଙ୍କ ନୂଆ ଦଳ ଆତ୍ମା ପ୍ରକାଶ କରିବ | ନୂଆ ଦଳର ନାଁ ଦେବା ପରେ ଏବେ କେଉଁମାନେ ଦଳରେ ସାମିଲ ହେବେ ସେନେଇ ବିଚାର ବିମର୍ଷ ଚାଲିଛି ବୋଲି ଡାକ୍ତର ରାଉତ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି |

ତା’ଛଡା ବିଭିନ୍ନ ଜାତୀୟ ରାଜନୈତିକ ଦଳର ଓଡିଶା ଶାଖା ସହିତ (କଂଗ୍ରେସ ଓ ବିଜେପି କୁ ଛାଡି) ମଧ୍ୟ ଦାମ ଆଲୋଚନା କରୁଥିବା ପ୍ରକାଶ କରିଥିଲେ | କଂଗ୍ରେସ ଓ ବିଜେପି ସହିତ କୌଣସି ମେଣ୍ଟ ହେବନାହିଁ ବୋଲି ସେ କହିଥିଲେ | ତେବେ ତାଙ୍କ ଆଞ୍ଚଳିକ ଦଳ କୌଣସି ପ୍ରସଙ୍ଗ ଉଠେଇଲେ କଂଗ୍ରେସ ଓ ବିଜେପି ଯଦି ତାକୁ ଆଗକୁ ନେଇ କିଛି ଫାଇଦା ନେବ ତାହେଲେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ | ତାଙ୍କ ଆଞ୍ଚଳିକ ଦଳର ମୁଖ୍ୟ ଆଭିମୁଖ୍ୟ ନବୀନ ବିରୋଧୀ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି | ବିଜେଡିକୁ ତାଙ୍କ ଦଳ ବିରୋଧ କରିବ କି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦାମ କହିଥିଲେ ଯେ, ତାଙ୍କର ମୁଖ୍ୟ ଟାର୍ଗେଟ ନବୀନ ପଟ୍ଟନାୟକ |

ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ ମନ୍ତବ୍ୟ ପାଇଁ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଗତ ସେପ୍ଟେମ୍ବର ମାସରେ ଦଳରୁ ବହିଷ୍କାର କରାଯାଇଥିଲା | ବହିଷ୍କାରବେଳେ ଦାମ କହିଥିଲେ ଯେ, କୌଣସି ରାଜନୈତିକ ଦଳ ଗଢିବା ପାଇଁ ତାଙ୍କ ପାଖରେ ପାଣ୍ଠି ନାହିଁ | ତେଣୁ ସେ ରାଜନୈତିକ ଦଳ ଗଠନ କରିବେ ନାହିଁ ବରଂ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ଭଳି ବୁଲି ବୁଲି ପ୍ରଚାର କରିବେ | ଗତ କିଛି ଦିନ ହେଲା ଦାମ ରାଜ୍ୟର ବିଭିନ୍ନ ସ୍ଥାନରେ ସିଭିଲ ସୋସାଇଟି ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି | ଏହି ସବୁ ସଭାରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ମଧ୍ୟ ଦେଉଛନ୍ତି |

ଆଜି ଦାମ ନିଜ ଦଳର ନାଁ ଘୋଷଣା କରିବ ପରେ ଏହି ଦଳରେ କେଉଁମାନେ ସାମିଲ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି | ଏହି ଦଳରେ ନିକଟରେ ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାମିଲ ହେବ ନେଇ ଚର୍ଚ୍ଚା ଜୋର ଧରିଥିଲା | ଦଳରୁ ଦାମ ବହିଷ୍କାର ହେବା ପରଦିନ ହିଁ ଦାମଙ୍କୁ ତାଙ୍କ ବାସଭବନରେ ବୈଜୟନ୍ତ ସାକ୍ଷାତ କରିଥିଲେ | ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ ବୋଲି ଉଭୟ ବୈଜୟନ୍ତ ଓ ଦାମ ଗଣମାଧ୍ୟମକୁ ସୂଚନା ଦେଇଥିଲେ | କିନ୍ତୁ ତା’ପରଠୁ ଦାମ ଓ ବୈଜୟନ୍ତ ଏକାଠି ହୋଇଥିବା ଦେଖିବାକୁ ମିଳେନି | ଏପରିକି ବାରିପଦା ଠାରେ ଆୟୋଜିତ ଏକ ଦୁର୍ନୀତି ବିରୋଧୀ ସଭାରେ ଦୁଇ ନେତା ଏକାଠି ହେବା ଆଶା କରାଯାଉଥିଲା | କିନ୍ତୁ ବୈଜୟନ୍ତ ଏହି ସଭାରେ ଯୋଗଦେଇନଥିଲେ | ଫଳରେ ଦାମଙ୍କ ନୂଆ ଦଳରେ ବୈଜୟନ୍ତ ଯୋଗଦେବେ ନା ପରଦା ପଛରେ ରହି କେବଳ ପୃଷ୍ଠପୋଷକତା କରିବେ ତାହା ଜଣାପଡିନାହିଁ |

ସେହିଭଳି ବିଜେପିରେ କଣଠେସା ହୋଇ ରହିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଦାମଙ୍କ ସହିତ ଯୋଗ ଦେଇପାରନ୍ତି ବୋଲି ଗୋଟେ ସମୟରେ ଅନୁମାନ କରାଯାଉଥିଲା | କିନ୍ତୁ ପରବର୍ତୀ ସମୟରେ ଦୁଇ ନେତାଙ୍କ ମଧ୍ୟରେ ତାଳମେଳ ନଥିବା ଜଣାପଡିଥିଲା | ଏପରିକି ବିଜୟ ମହାପାତ୍ର ଧରାଛୁଆଁ ଦେଉନଥିବା ନିଜେ ଦାମ କହିଥିଲେ |

ପଞ୍ଚାନନ କାନୁନଗୋ, ଦିଲୀପ ରାୟ, ଶ୍ରୀକାନ୍ତ ଜେନା, ପ୍ରଫୁଲ୍ଲ ଘଡେଇ ଆଦି ବିଜୁ ପ୍ରେମୀ ନେତାମାନଙ୍କୁ ଏକାଠି କରିବା କ୍ଷେତ୍ରରେ ମଧ୍ୟ ଦାମ ଗତ ଦୁଇ ମାସ ମଧ୍ୟରେ ସଫଳ ହୋଇନାହାନ୍ତି | ମାହାଙ୍ଗାରେ ଅନୁଷ୍ଠିତ ଏକ ସଭାରେ ଦାମଙ୍କ ସହିତ ପଞ୍ଚାନନ କାନୁନଗୋ ଯୋଗ ଦେବାରଥିଲା | ତେବେ ଅଜଣା କାରଣ ପାଇଁ ପଞ୍ଚାନନ ସେହି ସଭାକୁ ଯାଇନଥିଲେ | ସେହିଭଳି ବିଜେଡିରୁ ବହିସ୍କୃତ ନେତା ପ୍ରଫୁଲ୍ଲ ଘଡେଇ ମଧ୍ୟ ସେ ଅନ୍ୟ କୌଣସି ଆଞ୍ଚଳିକ ଦଳରେ ଯୋଗ ଦେବାର ନାହିଁ ବୋଲି ସ୍ପଷ୍ଟ କରିଥିଲେ |

ତେଣୁ ଦାମଙ୍କର ନୂଆ ଦଳ ବିଜୁ କ୍ରାନ୍ତି ଦଳରେ କେଉଁମାନେ ଯୋଗଦେବେ ସେନେଇ ସସ୍ପେନ୍ସ ଲାଗିରହିଛି |

   Related Posts