ଆରମ୍ଭ ହେଲା ସୂର୍ଯ୍ୟ-ଦାମ ବାଦିପାଲା : କେହି ଛାଡିଲେନି କାହାକୁ , ପରସ୍ପରର ଖୋଳିଲେ ଗୋହି
17/09/2018 at 1:49 PM

ଭୁବନେଶ୍ବର ୧୭|୯: ବିଷ୍ଣୁ-ଦାମ କଳି ପରେ ଏବେ ସୂର୍ଯ୍ୟ-ଦାମ ମୁହାଁ ମୁହିଁ ହୋଇଛନ୍ତି। ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ବାହାରେ ଡାକ୍ତର ଦାମୋଦର ରାଉତଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଛନ୍ତି। ଫଳରେ ଦାମ ବାବୁ ମଧ୍ୟ ସୂର୍ଯ୍ୟ ପାତ୍ରଙ୍କ ପୋଲ୍ ଖୋଲିଛନ୍ତି।
ଆଜି ବିଧାସଭାର ଶୂନ୍ୟକାଳରେ ବିରୋଧୀ ଦଳ ଚାରା ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କରିବାପରେ ଶାସକ ବିଜେଡି ଦାମଙ୍କ ବିରୋଧରେ ଖଡ୍ଗ ହସ୍ତ ହୋଇଛି । ଗୃହ ଭିତରେ ଏବଂ ବାହାରେ ଦାମଙ୍କୁ ଘେରିବା ପାଇଁ ଉଦ୍ୟମ ହୋଇଛି । ଗୃହ ମଧ୍ୟରେ ସମୀର ଦାସ, ଦାମ ବାବୁ ଅବକାରୀ ମନ୍ତ୍ରୀ ଥିବାବେଳର ବିଭିନ୍ନ ଅସଂଗତି କଥା କହିଥିବାବେଳେ ସୂର୍ଯ୍ୟ ଗୃହ ବାହାରେ ଦାମଙ୍କୁ ଆକ୍ରମଣ କରିଛନ୍ତି।
ଦାମ ଦିମୁହାଁ, ଦି ତୁଣ୍ଡିଆ ବୋଲି ସୂର୍ଯ୍ୟ କହିଛନ୍ତି। ବିଜେଡିରୁ ଯିବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଭଲ ବୋଲି କହୁଥିବା ଦାମ ବାବୁ ବିଜେଡିରୁ ବହିଷ୍କାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବୋଲି କହିବା ଆରମ୍ଭ କରିଛନ୍ତି । ଦାମ ବାବୁ ଜଣେ ଦୁର୍ନୀତିଗ୍ରସ୍ତ ବୋଲି ସୂର୍ଯ୍ୟ ସିଧାସଳଖ କହିଛନ୍ତି। ସରକାରୀ କଳର ଅପବ୍ୟବହାର କରି ନିଜ ଜ୍ବାଇଁ ଓ ପୁଅ ଦ୍ବାରା ଅର୍ଥ ଉପାର୍ଜନ କରୁଛନ୍ତି ବୋଲି ସୂର୍ଯ୍ୟ କହିଛନ୍ତି। କ୍ଷୁଦ୍ର ଶିଳ୍ପ ସହ-ନିର୍ଦ୍ଦେଶକ ଅଫିସ ରାଉରକେଲାରୁ ପାରାଦୀପକୁ ସ୍ଥାନାନ୍ତର ହେବା ପରେ ପାରାଦୀପରେ ଜ୍ବାଇଁଙ୍କ ଘରେ ୫୦ ହଜାର ଟଙ୍କା ଭଡାରେ ଚାଲିଛି ଅଫିସ ବୋଲି ସୂର୍ଯ୍ୟ ସୂଚନା ଦେଇଛନ୍ତି।
ସେହିଭଳି ଇଫ୍କୋ କମ୍ପାନୀର ଅଫିସରଂକୁ ଧମକାଇ ତାଙ୍କ ପୁଅର ଥିବା ଟ୍ରାନ୍ସପୋର୍ଟ ସଂସ୍ଥା ଜରିଆରେ ଶହ ଶହ ଟ୍ରକରେ ମାଲ ପରିବହନ କରୁଛନ୍ତି ବୋଲି ସୂର୍ଯ୍ୟ କହିଛନ୍ତି ।
ଦାମ ଜାତିଗତ ପ୍ରସଂଗରେ ଟିପ୍ପଣୀ ଦେଇ ସମାଜକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସୂର୍ଯ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଦଳିତଙ୍କୁ ଆକ୍ଷେପ କରିବା ଫଳରେ ଦାମଙ୍କ ବିରୋଧରେ ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । ସେ ଜାମିନରେ ଅଛନ୍ତି।
ସେହିଭଳି ବ୍ରାହ୍ଣଣଙ୍କ ସମ୍ପର୍କରେ ଦାମ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ଅଂଗନବାଡୀ କର୍ମୀଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦାମ ଦେଇଥିଲେ ବୋଲି ସୂର୍ଯ୍ୟ ମନେ ପକାଇଦେଇଛନ୍ତି ।
ତାଙ୍କୁ ଦଳରୁ ଆଗରୁ ବାହାର କରିବାର ଥିଲା ବୋଲି ସୂର୍ଯ୍ୟ କହିଛନ୍ତି। ନିଜକୁ ମିଡିଆ ସମ୍ମୁଖରେ ସ୍ବଚ୍ଛ ବୋଲି ଦେଖାଇ ହେଉଥିବା ଦାମବାବୁ ଦୁର୍ନୀତି ଗ୍ରସ୍ତ ବୋଲି ମଧ୍ୟ ସୂର୍ଯ୍ୟ ଆକ୍ଷେପ କରିଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କୁ ଦାମ ସମାଲୋଚନା କରୁଥିଲେ । ଏବେ ଯୁବ ବିଧାୟକଙ୍କୁ ମଧ୍ୟ ଛାଡୁନାହାଁନ୍ତି । ତୁଣ୍ଡ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ ବୋଲି ସୂର୍ଯ୍ୟ କହିଛନ୍ତି ।
ଅପରପକ୍ଷରେ ଦାମ ମଧ୍ୟ ସୂର୍ଯ୍ୟ ପାତ୍ରଙ୍କୁ କଡା ଜବାବ ଦେଇଛନ୍ତି । ସୂର୍ଯ୍ୟପାତ୍ର ଦୁର୍ନୀତିଗ୍ରସ୍ତ । ତାଙ୍କର କୌଣସି ନୀତି ଓ ଆଦର୍ଶ ନାହିଁ ବୋଲି ଦାମ କହିଛନ୍ତି । ତାଙ୍କ ଦ୍ବାଇଁଙ୍କ ଘର ପାରାଦୀପରେ ନାହିଁ କି ତାଙ୍କ ପୁ୍ଅର କୌଣସି ପରିବହନ କଂପାନୀ ନାହିଁ ବୋଲି ମଧ୍ୟ ଦାମ ସିଧାସଳଖ କହିଛନ୍ତି । ସୂର୍ଯ୍ୟ, ତାଙ୍କ ବାପା ଏବଂ ଅଜା କେହି ପ୍ରମାଣ କରିଦେଖାନ୍ତୁ ବୋଲି ଦାମ ଆହ୍ବାନ ଦେଇଛନ୍ତି । ବରଂ ସୂର୍ଯ୍ୟଙ୍କ ପୁ୍ଅ ଚିଟ୍ଫଣ୍ଡ କମ୍ପାନୀରେ ସଂପୃକ୍ତ ଥିବା ଦାମ ଅଭିଯୋଗ କରିଛନ୍ତି । ଦାମ ଜଣେ ଖବର କାଗଜ ହକର ଥିଲେ । ଏବେ କେମିତି ଶହ ଶହ କୋଟି ଟଂକାର ମାଲିକ ହେଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ନାଲକୋ ନଗରରେ , କଟକ ରୋଡରେ ଓ ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କର ବହୁ ଘର ରହିଛି ବୋଲି ଦାମ କହିବା ସହ ଭୁବନେଶ୍ବର ୟୁନିଟ-୮ରେ ଦାମ ୧.୫ ଡେସିମିଲର ଜମି ନିଜ ପୁଅ ନାଁରେ ହାତେଇବାକୁ ଉଦ୍ୟମ କରୁଥିଲେ , ଯାହା ଏବେ ଅଦାଲତରେ ଅଛି ବୋଲି ଦାମ କହିଛନ୍ତି ।
ଦାମଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ଉଦ୍ୟମ ଆରମ୍ଭ କରିଛି । ବିରୋଧୀ ଦଳକୁ ଏଭଳି ସ୍ଥିତି ବେଶ ସୁହାଇଛି।