ଦାମଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ : ସମ୍ବର୍ଦ୍ଧନା ଦେଲେ ଧର୍ମଶାଳା ସିନ୍ଦୁରିଆ ପଞ୍ଚାୟତ ଲୋକେ
9/09/2018 at 3:52 PM

ଭୁବନେଶ୍ବର ୯/୯: ଦୁର୍ନୀତି ବିରୋଧରେ ସ୍ବରୋତ୍ତଳନ ପାଇଁ ଡକ୍ଟର ଦାମୋଦର ରାଉତଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି। ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ସିନ୍ଦୁରିଆ ପଞ୍ଚାୟତର କିଛି ଜନପ୍ରତିନିଧି ଓ ଅଞ୍ଚଳବାସୀ ଡ.ରାଉତଙ୍କୁ ତାଙ୍କ ବାସଭବନରେ ଭେଟି ସମ୍ବର୍ଦ୍ଧିତ କରିଛନ୍ତି। କିଛିଦିନ ତଳେ ଡ. ଦାମୋଦର ରାଉତ ‘ସଞ୍ଚାର’ ଖବରକାଗଜରେ ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ଦୁର୍ନୀତି ସମ୍ପର୍କରେ ଲେଖା ଲେଖିଥିଲେ। ଏଥିରେ ଡଙ୍କାରୀ ପାହାଡ଼ର ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିବର ସହ ଏହି ପାହାଡ଼କୁ ନଷ୍ଟ କରିବା ପାଇଁ ବ୍ୟାପକ ଦୁର୍ନୀତି ହୋଇଥବା କହିଥିଲେ। ଏପରିକି ଏହି ଦୁର୍ନୀତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ହାତଥିବା ମଧ୍ୟ ଉଲ୍ଲେଖ କରିଥିଲେ। ଡଙ୍କାରୀ ପାହାଡ଼ ଖନନକୁ ବିରୋଧ କରି ଆସୁଥିବା ଲୋକେ ଏଥିରେ ଉତ୍ସାହିତ ହୋଇଥିଲେ। ଡଙ୍କାରୀ ପାହାଡ଼ ଦୁର୍ନୀତି ସମ୍ପର୍କରେ ଲେଖିବା ପରେ ଦାମଙ୍କର ଏବେ ଦୁର୍ନୀତି ପର୍ଦ୍ଦାଫାସ୍ ଆଭିମୁଖ୍ୟ ଯୋଗୁଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଅପରପକ୍ଷରେ ଦାମ ସେମାନଙ୍କୁ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ପ୍ରେରଣା ଦେଇଛନ୍ତି। ଏ ଅବସରରେ ଦାମ ଗଣମାଧ୍ୟମକୁ କହିଛନ୍ତି ଯେ,ଦୁର୍ନୀତିର କୈାଣସି ଦଳ ନଥାଏ। ତେଣୁ ସେ ନିଜ ଦଳର ହେଉ ବା ଅନ୍ୟ କୈାଣସି ଦଳର ତାହା ପ୍ରକାଶ କରିବାକୁ ସେ କେବେ ପଛଘୁଞ୍ଚା ଦେବେ ନାହିଁ। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସେ ଅନୁପ୍ରାଣିତ। ଦୁର୍ନୀତିକୁ ବରଦାସ୍ତ କରିବା ତାଙ୍କ ଜାତକରେ ନାହିଁ ବୋଲି ମଧ୍ୟ ଦାମ କହିଛନ୍ତି।