ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ଦାମ ରାଉତଙ୍କ ପ୍ରତିକ୍ରିୟା: ଏମିତି ତୀର ମାରିଲେ ଯେ, ଏକାବେଳେ ଉଭୟ ବିଜେଡି-ବିଜେପିକୁ ହେଲା ମାଡ

Published By : Prameya-News7 Bureau | June 23, 2019 IST

ଭୁବନେଶ୍ବର୨୩|୬: ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ  ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଯେ, ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବାକୁ ଗଲେ, ତାଙ୍କୁ ସାଥିରେ ନେଇ ଯାଇଥିଲେ ଅଶ୍ବିନୀ ବୈଷ୍ଣବ ।ଏଥିରୁ କଣ ଆପଣ କିଛି ବୁଝି ପାରୁନହାନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ସେହିଭଳି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କେତୋଟି ପ୍ରଶ୍ନ କରିଛନ୍ତି ।ବିଜେଡି-ବିଜେପି ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ସେ ଖଣି ମାଲିକ କି ନୁହେଁ ? ଖଣି କାରବାରରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ? ଖଣି ଚୋରିରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ? ବୋଲି ପ୍ରଶ୍ନ କରିବା ସହ ବିଜେଡି-ବିଜେପି ପ୍ରଥମେ ଏକଥା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନିନ୍ଦନୀୟ ମତବ୍ୟକ୍ତ କରିଛନ୍ତି ।

ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ଦାମ ଏବଂ ନରସିଂହଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।ସେ କହିଛନ୍ତି ଯେ, ଖାଲି ଅଭିଯୋଗ କରିଦେଲେ ହେବନି, ତଥ୍ୟ ରଖିବାକୁ ପଡିବ ।ବିଜେଡି-ବିଜେପି କେବେ ମିଶି ନାହାନ୍ତି ।ମିଶିଥିଲେ ନିର୍ବାଚନରେ ତାଙ୍କ ସହ ଲଢେଇ କେମିତି କରୁଥିଲୁ ବୋଲି ସେ ପଚାରିଛନ୍ତି ।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପଛରେ କୌଣସି ବାଧ୍ୟବାଧକତା ଥିବା ମତେ ଲାଗୁନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ମେଣ୍ଟ, ଗୁପ୍ତ ବୁଝାମଣା ଏସବୁ ଆକଳନ ନିରର୍ଥକ ବୋଲି ସେ କହିଛନ୍ତି। ଓଡ଼ିଶାର ସ୍ବାର୍ଥ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ବିନୀ ବୈଷ୍ଣବଙ୍କ ଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସମର୍ଥନ ମାଗିଥିଲେ । ସବୁକଥାରେ ରାଜନୀତି ଖୋଜିବା ଠିକ୍  ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.