ଏଇ ମାସରେ ଦାମ ଗଠିବେ ନୂଆ ଆଞ୍ଚଳିକ ଦଳ : ବିଜେଡି କହିଲା ଆଗ ନିଜ ସ୍ଥିତି ସମ୍ଭାଳନ୍ତୁ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ୱର ୭/୧୧ : ଚଳିତ ମାସରେ ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଠନ କରିବେ | ସେଥିପାଇଁ ବିଭିନ୍ନ ଲୋକଙ୍କ ସହ କଥାବାର୍ତ୍ତା ଚାଲିଛି | ରାଜ୍ୟରେ ବିଶେଷ ପ୍ରଭାବ ନଥିବା ବିଭିନ୍ନ ଜାତୀୟ ଦଳର ରାଜ୍ୟ ଶାଖାଗୁଡିକୁ ଏହି ନୂଆ ଦଳରେ ସାମିଲ କରିବା ପାଇଁ କଥାବାର୍ତ୍ତା ଚାଲିଛି ବୋଲି ଆଜି ଡାକ୍ତର ଦାମୋଦର ରାଉତ ଗଣାମଧ୍ୟମକୁ କହିଛନ୍ତି | ନୂତନ ଆଞ୍ଚଳିକ ଦଳର ଆଭିମୁଖ୍ୟ ବିଜେଡି ବିରୋଧୀ ନୁହେଁ ବରଂ ନବୀନ ବିରୋଧୀ ହେବ ବୋଲି ଆଜି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି | ତେବେ ନୂଆ ଆଞ୍ଚଳିକ ଦଳ ପାଇଁ କାହା ସହିତ କଥାବାର୍ତ୍ତା ଚାଲିଛି ତାହା ପ୍ରକାଶ କରିବି ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି | ସେ କହିଛନ୍ତି ଯେ, ସେ କାହା ସହିତ ନୂଆ ଦଳ ଗଠନ କରୁଛନ୍ତି ସେ ଖବର ପାଇବାମାତ୍ରେ ଶାସକଦଳ ତାଙ୍କୁ ଭଣ୍ଡୁର କରିବାକୁ ଉଦ୍ୟମ କରିବ | ତାଙ୍କ ନୂଆ ଦଳ ଅକ୍ଟୋବର ମାସରେ ହିଁ ଆତ୍ମା ପ୍ରକାଶ କରିଥାନ୍ତି | କିନ୍ତୁ କଥାବାର୍ତ୍ତାରେ ବିଳମ୍ବ ହେବାଯୋଗୁଁ ଡେରି ହୋଇଛି | ତେବେ ଚଳିତ ମାସରେ ଏହା ଆତ୍ମପ୍ରକାଶ କରିବ ସୁନିଶ୍ଚିତ ବୋଲି ଦାମ କହିଛନ୍ତି | ଅପରପକ୍ଷରେ ଦାମଙ୍କ ନୂଆ ଦଳ ଗଠନକୁ ଅତି ହାଲକା ଭାବେ ନେଇଛି ଶାସକ ବିଜେଡି | ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ଦାମ ପ୍ରଥମେ ନିଜ ସ୍ଥିତି ସମ୍ଭାଳନ୍ତୁ | ପଛେ ନୂଆ ଦଳ ଗଠନ କଥା ଚିନ୍ତା କରିବେ | ସେହିଭଳି ମୁଖପାତ୍ର ସସ୍ମିତ ପତ୍ର କହିଛନ୍ତି ଯେ, ନଈ ନ ଦେଖୁଣୁ ନଙ୍ଗଳା ହେବାର କାରଣ କିଛିନାହିଁ | ଦାମ ପ୍ରଥମେ ଦଳ ଗଠନ କରନ୍ତୁ | ତା'ପରେ ଦେଖାଯିବ କଣ ହେଉଛି | ସମୀର ଦାସ କହିଛନ୍ତି ଯେ, ଅତୀତରେ ଯେଉଁମାନେ ଏଭଳି ଦଳ ଗଠନ କରିଛନ୍ତି ତାଙ୍କ ଅବସ୍ଥା କଣ ହୋଇଛି ତାହା ସମଗ୍ର ଓଡ଼ିଶାବାସୀ ଜାଣନ୍ତି | ତା'ଛଡା ଦମଙ୍କ କଥା ଓ କାମ ମଧ୍ୟରେ ଅନେକ ଫରକ ରହିଥିବା ଲୋକେ ଜାଣି ସାରିଲେଣି | ତେଣୁ ଡମଙ୍କୁ ଆଉ କେହି ଗୁରୁତ୍ୱ ଦେଉନାହାନ୍ତି | ଅପରପକ୍ଷରେ ନୂଆ ଦଳ ଗଠନ ସଂକ୍ରାନ୍ତରେ ସୂଚନା ଦେବାବେଳେ ଡାକ୍ତର ରାଉତ ଚିରାଚରିତ ଭାବେ ରାଜ୍ୟକୁ ୧୮ବର୍ଷ ଶାସନ କରିଥିବା ନିଜେଡି ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି | ବିଜେଡି ସରକାର ସମ୍ପୂର୍ଣ ଦୁର୍ନୀତିଗ୍ରସ୍ତ ବୋଲି ଦାମ ଅଭିଯୋଗ କରିଛନ୍ତି | ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି କହିଛନ୍ତି | ଆନ୍ଦୋଳନ କରି କରି ଚାଲି ଆସୁଥିବା ଚାଷୀଙ୍କୁ ଜାତୀୟ ରାଜପଥ ରୁ ଗିରଫ କରିନେବା ଘଟଣାକୁ ଦାମ ସମାଲୋଚନା କରିଛନ୍ତି | ଗତ ୧୮ବର୍ଷ ଭିତରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି | ବିଜେଡିର ସବୁ ଛାମୁଆ ସଂଗଠନ ଥିବା ସତ୍ୱେ ବିଜୁ ଯୁବ ବାହିନୀ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି | ରାଜ୍ୟର ୬୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ବିଭ୍ରାନ୍ତ କରାଯାଇଛି | ସେହିଭଳି ଶିକ୍ଷକଙ୍କ ଦାବି ପ୍ରସଙ୍ଗ ଉଠାଇ ଦାମ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି | ଦାମ ପୁଣି ଉଦ୍ୟାନ କୃଷି ବିଭାଗର ଦୁର୍ନୀତି ପ୍ରସଙ୍ଗ ଉଠାଇ ଏହା ଏକ ମହାଦୁର୍ନୀତି ବୋଲି କହିଛନ୍ତି | ଦୁର୍ନୀତି କରୁଥିବା ଅଧିକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି | ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ରହିଛି | କେନ୍ଦ୍ର ପର୍ଶନାଲ ଡିପାର୍ଟମେଣ୍ଟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦଫ୍ତରରୁ ତାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଚିଠି ଆସିଥିଲେ ମଧ୍ୟ କୌଣସି ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି | ବିଜେପି ସହ ଗଠବନ୍ଧନ କରିବାର ସମ୍ଭାବନା ରହିଛିକି ବୋଲି ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି ଯେ, ତାଙ୍କ ଦଳ କାହା ସହ ମେଣ୍ଟ କରିବ ନାହିଁ |ତେବେ ତାଙ୍କ ଦଳ ଯେଉଁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ସବୁ ଉଠେଇବ ତାକୁ ଆଗକୁ ବଢ଼ାଇ ଯଦି କଂଗ୍ରେସ କି ବିଜେପି ଫାଇଦା ନେବାକୁ ଚାହିଁବେ ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ | ତେବେ ବିଜେପିର ସଂଗଠନକୁ ଦାମ ତୀବ୍ର ସମାଲୋଚନା କରିଛନ୍ତି | ସେ କହିଛନ୍ତି ତୃଣମୂଳ ସ୍ତରରେ ବିଜେପିର କୌଣସି ସଂଗଠନ ନାହିଁ, କିନ୍ତୁ ତାଙ୍କ ଦଳର ମୁଖିଆ ୧୨୦ରୁ ଅଧିକ ଆସନ ପାଇବାର ସ୍ବପ୍ନ ଦେଖୁଛନ୍ତି | ସେହିଭଳି କଂଗ୍ରେସ ଦଳର ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳ ତୁଟୁନାହିଁ ବୋଲି ସେ କଟାକ୍ଷ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.