Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ବିଜେଡି ନେତାଙ୍କ ମନ୍ତବ୍ୟକୁ ଦାମଙ୍କ କଟୁ ସମାଲୋଚନା : କହିଲେ ଏସବୁ ତେଲ ମାରିବା ପାଇଁ…

18/05/2019 at 2:16 PM

ଭୁବନେଶ୍ବର ୧୮|୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ଏବଂ ସେଭଳି ସ୍ଥିତି ମଧ୍ୟ ସୃଷ୍ଟି ହେଲାଣି ବୋଲି ବିଜେଡିର ଦୁଇଜଣ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିବା ପରେ ଏହାକୁ ନେଇ ଏବେ ରାଜ୍ୟରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବୟାନବାଜି ଆରମ୍ଭ ହୋଇଛି । କିନ୍ତୁ ବିଜେଡି ନେତାଙ୍କ ଏଭଳି ମନ୍ତବ୍ୟ କେବଳ ତେଲ ମାଲିସ ପାଇଁ ଉଦ୍ଧିଷ୍ଟ ବୋଲି କହି କଟାକ୍ଷ କରିଛନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତ ।

 ସେ କହିଛନ୍ତି ଯେ, ୫୪୩ ସଦସ୍ୟ ବିଶିଷ୍ଟ ସଂସଦରେ ଓଡିଶାର ଭାଗ ହେଉଛି ମାତ୍ର ୨୧ । ମାତ୍ର ୨୧ ସାଂସଦଙ୍କୁ ନେଇ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖିବା କେତେ ଠିକ ବୋଲି ପ୍ରଶ୍ନ ଉଠାଇଛନ୍ତି ଦାମ । ସେ କହିଛନ୍ତି ଯେ, ୨୦୧୪ରେ ଅନ୍ତତଃ ବିଜେଡି ୨୦ଟି ଆସନରେ ବିଜୟୀ ହୋଇଥିଲା । ଏଥର ପୁଣି ସେଭଳି ସ୍ଥିତି ନାହିଁ । ତେଣୁ କେଉଁ ଆଧାରରେ ନବୀନ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କହୁଛନ୍ତି ତାହା ତାଙ୍କୁ ହିଁ ଜଣା ବୋଲି ଦାମବାବୁ ମନ୍ତବ୍ୟ ଦେଇଛନ୍ତି ।

୬୦ ଦଶକରେ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ବିଜୁବାବୁଙ୍କୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ କରିବାକୁ ଚାହୁଁଥିଲେ । ତେବେ ସେଥର ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିବାରୁ ନେହେରୁ ଚାହିଁ ମଧ୍ୟ ବିଜୁବାବୁଙ୍କୁ ମନ୍ତ୍ରୀ କରିପାରିନଥିଲେ । ମହାରାଷ୍ଟ୍ର ଲବି ତାହା ହେବାକୁ ଦେଇନଥିଲା । ତେଣୁ ଏବେ କେଉଁ ଆଧାରରେ ନବୀନଙ୍କୁ ବିଜେଡି ନେତାମାନେ ପ୍ରଧାନମନ୍ତ୍ରୀ କରିସାରିଲେଣି ତାହା ବୁଝାପଡୁନି ବୋଲି ଦାମ କଟାକ୍ଷ କରିଛନ୍ତି । ନବୀନଙ୍କ ଶୁଭ ଦୃଷ୍ଟି ତଥା ଅନୁଗ୍ରହ ପାଇଁ ନେତାମାନେ ଏଭଳି ତେଲିଆ କଥା କହୁଥିବା ଦାମ କହିଛନ୍ତି ।

ସେହିଭଳି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ମଧ୍ୟ ଏଭଳି ଚର୍ଚ୍ଚାକୁ ହସରେ ଉଡାଇ ଦେଇଛନ୍ତି । ସେ କହିଛନ୍ତି ଯେ, ନବୀନ ଯଦି କୌଣସି କାରଣରୁ ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ତାହେଲେ ରାଜ୍ୟରେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ଅପରପକ୍ଷରେ ଆଜି ବିଜେଡିର ବରିଷ୍ଠନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏ ପ୍ରସଂଗରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ନବୀନ ଜତୀୟ ସ୍ତରରେ ବେଶ ସମ୍ମାନ୍ତ ଓ ଆଦୃତ ନେତା । କିନ୍ତୁ ସେ ଓଡିଶା ଲୋକଙ୍କ ସେବା କରିବା ପାଇଁ ବଦ୍ଧପରିକର ବୋଲି ବାରମ୍ବାର ସୂଚନା ଦେଇଛନ୍ତି । ତେଣୁ ଏଭଳି ଚର୍ଚ୍ଚା ନିରର୍ଥକ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ନାହିଁ ବୋଲି ବିଶେଷଜ୍ଞଙ୍କ ଆକଳନ ପରେ ଓଡିଶା ରାଜନୀତିରେ ମଧ୍ୟ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ନବୀନଙ୍କୁ ତୀବ୍ର ସମାଲୋଚନା କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କଠୁ ଆରମ୍ଭ କରି ପ୍ରଧାନଂନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କ ପ୍ରଶଂସାରେ ଶତ ମୁଖ୍ର ହୋଇଛନ୍ତି ।ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ନବୀନଙ୍କୁ ୨୩ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଅଣ ଏନଡିଏ ଦଳର ବୈଠକକୁ ସ୍ବନ୍ତ୍ରଭାବେ ନିମନ୍ତ୍ରଣ କରିଛନ୍ତି । ଏଭଳି ରାଜନୈତି ପାଣିପାଗର ସୁଯୋଗ ନେଇ ବିଜେଡି ନେତାମାନେ ନବୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କହିବାକୁ ପଛାଇ ନାହାଁନ୍ତି ।

   Related Posts