ଦାମ ବିଷ୍ଣୁ କଳି : ସିମେନ ଚୋରୀକୁ ବାସନ୍ତୀ ବାରା ପର୍ଯ୍ୟନ୍ତ ଚାଲିଛି ଗୋଇ ଖୋଳାଖୋଳି

Published By : Prameya-News7 Bureau | September 15, 2018 IST

ଭୁବନେଶ୍ୱର ୧୫/୯ : ବିଷ୍ଣୁ-ଦାମ କଳି ଏବେ ଚରମ ସୀମାରେ ପହଂଚିଛି | ବିଷ୍ଣୁ ଆଗ୍ନେୟାସ୍ତ୍ର ମାରିଲେ ଦାମ ବରୁଣାସ୍ତ୍ର ମାରୁଛନ୍ତି | ତେବେ ଏବେ ଏହି କଳି ବ୍ୟକ୍ତିଗତ ସ୍ଥରକୁ ଯାଇଛି | ଯାହା ରାଜ୍ୟ ରାଜନୀତିରେ ଏକ ଅରୁଚିକର ଅଧ୍ୟାୟ ଲେଖୁଛି | ଦଳରୁ ବହିଷ୍କାର ହେବା ପରେ ସ୍ୱାଭାବିକ ଭାବେ ଡାକ୍ତର ଦାମୋଦର ରାଉତ ବିଷ୍ଣୁ ଦାସଙ୍କୁ ଟାର୍ଗେଟ କରି ବହୁ କଟାକ୍ଷ କରିଥିଲେ | ଏହାର ଜବାବରେ ଗତ ଦୁଇଦିନ ହେଲା ବିଷ୍ଣୁ ଦାସ ଆଉ ଦୁଇ ପାଦ ଆଗକୁ ଯାଇ ଦାମୋଦର ରାଉତଙ୍କ ଚରିତ୍ର ସଂହାର ଆରମ୍ଭ କରିଛନ୍ତି | ୧୯୪୭ ମସିହାରେ ରାଜ୍ୟ ପଶୁ ସମ୍ପଦ ବିଭାଗରେ ହୋଇଥିବା ସିମେନ ଦୁର୍ନୀତିରେ ଡାକ୍ତର ଦାମୋଦର ରାଉତ ସମ୍ପୃକ୍ତ | ସେ ଫାଇଲ କୁଆଡେ ଚାଲିଯାଇନାହିଁ; ପୁଣି ସେ ଫାଇଲ ଖୋଲିବ ବୋଲି ବିଷ୍ଣୁ ଦାସ କହିଛନ୍ତି | ସେହିଭଳି ଦାମଙ୍କ ଚରିତ୍ରକୁ ଆକ୍ଷେପ କରି ବିଷ୍ଣୁ କହିଛନ୍ତି ଯେ, ଦାମ ବାବୁ ସବୁବେଳେ ବିଜୁ ପଟ୍ଟନାୟକଙ୍କ ନାଁ ନେଇଛନ୍ତି, କିନ୍ତୁ ଦାମ ମହିଳାଙ୍କୁ ଅସଦାଚରଣ କରନ୍ତି | ଏ ପ୍ରସଙ୍ଗରେ ସେ ବହୁବର୍ଷ ତଳର ବାସନ୍ତୀ ବାରା ପ୍ରସଙ୍ଗ ଉଠାଇବାକୁ ପଛାଇ ନାହାନ୍ତି | ସିଧାସଳଖ ଦାମ ବାବୁଙ୍କୁ ବିଷ୍ଣୁ ଦୁରାଚାରୀ ବୋଲି ମଧ୍ୟ କହିଛନ୍ତି | ଦାମ ବାବୁଙ୍କ ପ୍ରକୃତି ସମସ୍ତେ ଜାଣନ୍ତି | ସେ ପ୍ରକୃତି କେବେ ବଦଳିବାର ନାହିଁ ବୋଲି ମଧ୍ୟ ବିଷ୍ଣୁ କହିଛନ୍ତି | ଅପାରପକ୍ଷରେ ଡାକ୍ତର ଦାମୋଦର ରାଉତ ମଧ୍ୟ ବିଷ୍ଣୁ ଦାସଙ୍କୁ କଡା ଜବାବ ଦେଇଛନ୍ତି | ଡାକ୍ତର ରାଉତ କହିଛନ୍ତି ଯେ, ବିଷ୍ଣୁ ଦାସ ଯେଉଁ ସିମେନ ଚୋରା ଘଟଣା ଉଠାଇଛନ୍ତି ସେମିତି କିଛି ହୋଇନାହିଁ | ବିଷ୍ଣୁ ଦାସ କଣ ଭିଜିଲାନ୍ସ ଚାକିରୀ କରନ୍ତି କି ବୋଲି ଦାମ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ, ୧୯୭୪ ମସିହା ବେଳକୁ ବିଷ୍ଣୁ ଦାସ ଆହୁରି ସାବାଳକ ହୋଇନଥିବେ; ସେ କେମିତି ଏକଥା ଜାଣିଲେ ? କଟାକ୍ଷ କରି ଏହା ମଧ୍ୟ ଦାମ କହିଲେ ଯେ, "କେଜାଣି କଟକ ବକ୍ସି ବଜାର ଯାଇ ବିଷ୍ଣୁ ଯଦି ସିମେନ ପିଆ ପିଇ କରିଥିବେ ତାହେଲେ ମୁଁ ଜାଣିନି |" ୧୯୮୫ ମସିହାରେ ବିଷ୍ଣୁ ଜଗତସିଂହପୁର ସୋମନାଥପୁର ହାଟରେ ଗୋଟେ କ୍ୟାବିନ ଆଗରେ ବେଞ୍ଚ ଉପରେ ବସି ଗୁଲୁଗୁଲା ଖାଉଥିଲେ | ତାଙ୍କୁ ଦାମ ବାବୁ ରାଜନୀତିକୁ ଆଣିଥିଲେ | କିନ୍ତୁ ବିଷ୍ଣୁ ୮୫ ମସିହାରେ ନିର୍ବାଚନ ହାରିଲେ ବୋଲି ଦାମ କହିଛନ୍ତି | ବିଷ୍ଣୁ ଦାମ କଳି କିଛି ନୂଆ କଥା ନୁହେଁ | କିନ୍ତୁ ଏବେ ଏ କଳି ଅରୁଚିକର ଅଧ୍ୟାୟ ଆଡକୁ ବାଟ ଦେଖାଇଲାଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.