ଆଜି ବାରିପଦାରେ ଗୋଟିଏ ମଞ୍ଚରେ ଏକାଠି ହେବେ ଦାମ-ବୈଜୟନ୍ତ ; ବର୍ଷିପାରନ୍ତି ସରକାରଙ୍କ ଉପରେ
21/10/2018 at 9:29 AM

ମୟୁରଭଞ୍ଜ ୨୧|୧୦: ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା ଗସ୍ତରେ ଆସୁଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଏହି ଦୁଇ ହେବିଓ୍ବେଟ୍ ନେତାଙ୍କ ଗସ୍ତକୁ ନେଇ ସହର ସାରା ମାଳ ମାଳ ହୋର୍ଡିଂମାନ ଲାଗିଥିବା ଦେଖିବାକୁ ମିଳିଛି । ଫଳରେ ଏବେ ଜିଲ୍ଲା ରାଜନୀତିରେ ମାହୋଲ ସରଗରମ ହୋଇଛି । ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ବାରା ଆୟୋଜିତ ଏହି ସମାବେଶରେ ଗୋଟିଏ ମଞ୍ଚରେ ଦାମ ଏବଂ ବୈଜୟନ୍ତ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ନେତା ବିଜେଡି ଶାସନ କାଳରେ ମୟୂରଭଞ୍ଜରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ଘୋଟାଲାର ପର୍ଦ୍ଦ।ଫାସ କରିବାର ଆଶଙ୍କା କରାଯାଉଛି ।
ତେବେ ସ୍ଥାନୀୟ ଛଉ ପଡିଆଠାରେ ଆଜି ଦିନ ୧୧ଟା ସମୟରେ ଅନୁଷ୍ଠିତ ହେବ ଏହି ଜନ ସମାବେଶ । ଏହି ସମାବେଶକୁ ନେଇ କିନ୍ତୁ ଶାସକ କିମ୍ବା ବିରୋଧୀ ଦଳର କୌଣସି ନେତା ମୁହଁ ଖୋଲିବାକୁ ନାରାଜ । ତେବେ ଏହି ସମାବେଶ କୌଣସି ରାଜନୈତିକ ସଭା ନୁହେଁ, ବରଂ ଦୁର୍ନୀତି ବିରୋଧରେ ଏକ ମିଳିତ ଆନ୍ଦୋଳନର ଅୟମାରମ୍ଭ ବୋଲି କହିଛନ୍ତି ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ର ଉପସଭାପତି ଶରତ ରଣା ।