ଅମୃତସରରେ ରାବଣ ପୋଡି ହେଲା କାଳ ; ରାମଲୀଳାର ରାବଣ ଦଲବୀର ସିଂହଙ୍କ ମୃତ୍ୟୁ

Published By : Prameya-News7 Bureau | October 20, 2018 IST

ଅମୃତସର ୨୦|୧୦: ପଞ୍ଜାବ ଅମୃତସରର ରାବଣ ପୋଡି ଉତ୍ସବ ବେଳେ ଟ୍ରେନ୍ ଧକ୍କାରେ ଏବେ ସୁଦ୍ଧା ୬୦ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚିକିତ୍ସାଧିନ ଥିବା ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ସୂଚନା ଅନୁସାରେ ଘଟଣାସ୍ଥଳରେ ରାମଲୀଳା ନାଟକ ମଧ୍ୟ ପରିବେଷଣ କରାଯାଉଥିଲା । ଉକ୍ତ ରାମଲୀଳା ନାଟକରେ ରାବଣ ଭୂମିକାରେ ଅବତୀର୍ଣ୍ଣ ଥିବା ଦଳବୀର ସିଂହଙ୍କର ମଧ୍ୟ ଏହି ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯେତେବେଳେ ରାବଣ ପୁତଳାରେ ନିଆଁ ଲଗାଯାଇଥିଲା ଠିକ୍ ସେହି ସମୟରେ ରାମଲୀଳାର ରାବଣ ଦଲବୀର ସିଂହ ମଧ୍ୟ ଟ୍ରେନ୍ ଳାଇନ୍ ରେ ଉପସ୍ଥିତ ଥିଲେ । ଠିକ୍ ସେତିକିବେଳେ ଟ୍ରେନ୍ ଟି ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ଫଳରେ ୬୦ରୁ ଅଧିକ ଲୋକ ଦୁର୍ଘଟଣାର ଶୀକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ୪୦ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣାରେ ଦଲବୀର ସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଦଲବୀରଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣା ପରେ କାନ୍ଦି କାନ୍ଦି ଦଲବୀରଙ୍କ ପତ୍ନୀଙ୍କ ଅବସ୍ଥା ଖରାପ ହୋଇଯାଇଛି । ଦଲବୀରଙ୍କ ମାଆ ଏବଂ ଭାଇଙ୍କୁ ଏବେବି ବିଶ୍ବାସ ହେଉନି ଯେ ଦଲବୀର ଆଉ ଦୁନିଆରେ ନାହାଁନ୍ତି ବୋଲି । ଦଲବୀର କିଛି ବର୍ଷ ହେବ ରାମଲୀଳା ନାଟକରେ ରାବଣ ଭୂମିକାରେ ଅଭିନୟ କରୁଥିଲେ । କାଲି ମଧ୍ୟ ସେ ଘର ଏହା କହି ଶୀଘ୍ର ଯାଇଥିଲେ ଯେ ତାଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କୁ ପ୍ରସ୍ତୁତ କରିବାର ଅଛି । ତେବେ ସେ କଣ ଜାଣିଥିଲେ ରାମଲୀଳାରେ ଅଭିନୟ କରିବା ତାଙ୍କ ପାଇଁ ମୃତ୍ୟୁ ଆଣିଆସିବ ବୋଲି । ରାବଣ ଭୂମିକାର ଅବତୀର୍ଣ୍ଣ ରାବଣ ମଧ୍ୟ ସତକୁ ସତ ଦହନ ହୋଇଯିବ ବୋଲି । ଦଲବୀର ସିଂହଙ୍କ ପରିବାରଲୋକ ଘଟଣା ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.