ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦୈତାରି ନାୟକଙ୍କ ୯୧ତମ ଜୟନ୍ତୀ ସମାରୋହ: ‘ଦୀନ ଦରିଦ୍ରଙ୍କ ବନ୍ଧୁ ଥିଲେ ଦୈତାରି ସାର୍‌’

Published By : Prameya-News7 Bureau | January 28, 2022 IST

କେନ୍ଦ୍ରାପଡ଼ା ୨୮/୦୧: ଦୈତାରି ସାର୍‌ ବିପଦ ବେଳର ବନ୍ଧୁ ‘ଦୀନବନ୍ଧୁ’ ଥିଲେ । କେବଳ ପାଠପଢ଼ା ଓ ଶିକ୍ଷାଦାନ ମଧ୍ୟରେ ନିଜକୁ ସୀମିତ ନରଖି ଦୁଃଖୀରଙ୍କିଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଅଞ୍ଚଳର ସାମଗ୍ରିକ ବିକାଶରେ ସେ ଅଗ୍ରଦୂତ ଥିଲେ । ସେ ଛାଡ଼ି ଯାଇଥିବା ନୀତି, ଆଦର୍ଶକୁ ଗ୍ରହଣ କରି କାମରେ ଲଗାଇ ପାରିଲେ ଦୈତାରି ସାର୍‌ଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବଲୁରିଆଠାରେ ଅନୁଷ୍ଠିତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦୈତାରି ନାୟକଙ୍କ ୯୧ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଥିଲେ, ଦୈତାରୀ ସାର୍‌ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜକୁ ସେ କେବଳ ଶିକ୍ଷକତା ବୃତ୍ତିରେ ସୀମିତ ରଖି ନଥିଲେ । ବରଂ ତା’ଠାରୁ ଆଉ ପାଦେ ଆଗେଇ ଯାଇ ଗରିବ, ଅସହାୟଙ୍କ ଭଲ ବନ୍ଧୁଟିଏ ହୋଇପାରିଥିଲେ । ମନ ଜାଣି ସେମାନଙ୍କ ପାଖରେ ବିପଦ ସମୟରେ ଠିଆ ହୋଇ ସହାୟତାର ହାତ ବଢ଼ାଇଥିଲେ । ଛାତ୍ରଛାତ୍ରୀଙ୍କୁ ସେ ଯେଉଁ ଶିକ୍ଷାର ପ୍ରଦୀପ ଦେଇଯାଇଛନ୍ତି ସେମାନେ ତାକୁ ବାସ୍ତବ ଜୀବନରେ ଅନୁକରଣ କରି ନିଜକୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିଛନ୍ତି । ସମାଜ ପ୍ରତି ଥିବା ନିଜର ଦାୟିତ୍ୱବୋଧ ସଠିକ୍‌ ଢଙ୍ଗରେ ସେ ନିର୍ବାହ କରିପାରିଥିବା କହିଥିଲେ ।

{"id":580482,"sizeSlug":"full","linkDestination":"none"}

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡ. ତପନ କୁମାର ପତି ଯୋଗଦେଇ ଦୈତାରି ସାର୍‌ଙ୍କୁ ଆଗରେ ରଖି ଆଦର୍ଶ ଗୁରୁ-ଶିଷ୍ୟ ସମ୍ପର୍କର କିଛି ଉଦାହରଣ ରଖିଥିଲେ । ଦୈତାରି ସାର୍‌ ତାଙ୍କର ମହନୀୟତା ଯୋଗୁଁ ଆଜି ଅନୁକରଣୀୟ ହୋଇ ପାରିଛନ୍ତି । ସମାଜ ପ୍ରତି ଥିବା ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ସେ ଆଜି ଅବିସ୍ମରଣୀୟ । ତାଙ୍କର ସେହି ମହାନ ଚିନ୍ତା ଓ ଚେତନାକୁ ଜାଗୃତ କରିବାର ଅଛି । ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସାମଗ୍ରିକ ଉଦ୍ୟମ ହେବା ଜରୁରୀ ବୋଲି ସେ କହିଥିଲେ ।

ପିଏନ୍‌ଏସ୍‌ ବୈଷୟିକ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଜ୍ଞାନରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, କୌଣସି ମହାନ ବ୍ୟକ୍ତିଙ୍କ ପଛରେ କାହାଣୀ କିମ୍ବା କିମ୍ବଦନ୍ତୀଟିଏ ଥାଏ । ଅନ୍ୟଥା ସାମୟିକ ସ୍ମୃତି ସମୟର କରାଳ ଗର୍ଭରେ ଲିଭିଯାଏ । ତେଣୁ ଦୈତାରି ସାର୍‌ଙ୍କ ପରି ମହାନ ବ୍ୟକ୍ତିଙ୍କ ସହ ଜଡ଼ିତ ଯେତେସବୁ କଥା, କାହାଣୀ ଅଛି ସେ ସବୁ ଏକାଠି କରାଯାଇ ପ୍ରକାଶିତ କରାଯାଉ । ଏଥିପାଇଁ ତାଙ୍କ ସହ ସମ୍ପୃକ୍ତ ପୁରାତନ ଛାତ୍ର, ଅଞ୍ଚଳବାସୀ ଆଗେଇ ଆସିବା ଉଚିତ୍‌ ବୋଲି ସେ ମତବ୍ୟକ୍ତ କରିଥିଲେ ।

ବ୍ରାହ୍ମଣୀ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ କହିଥିଲେ, ଦୈତାରି ସାର୍‌ ନିଜେ ଯେପରି ଥିଲେ ପିଲାମାନଙ୍କୁ ମଧ୍ୟ ସେପରି ଗଢ଼ି ତୋଳିଛନ୍ତି । ତାଙ୍କରି ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ସମାଜରେ ଉଚ୍ଚ ପ୍ରତିଷ୍ଠିତ । ସମାଜସେବାରେ ନିଜକୁ ନିୟୋଜିତ କରି ପ୍ରଶଂସାଭାଜନ ହୋଇପାରିଛନ୍ତି । । ତାଙ୍କର ସୁପୁତ୍ର ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଆଜି ଓଡ଼ିଶା କାହିଁକି ଭାରତ ବର୍ଷରେ ପରିଚିତ ନାଁଟିଏ । ଶିକ୍ଷାଦାନ ହେଉ ଅବା ଚିକିତ୍ସା ସେବା କ୍ଷେତ୍ରରେ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ବିରଳ । ଅଞ୍ଚଳର ୧୦୦ରୁ ଊଦ୍ଧ୍ୱର୍ ଅସହାୟ, ଗରିବ ଲୋକଙ୍କୁ ପ୍ରତି ମାସରେ ନିୟମିତ ଭତ୍ତା ପ୍ରଦାନ କରାଯାଉଛି । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରି ଦୈତାରି ନାୟକ ମେମୋରିଆଲ ଟ୍ରଷ୍ଟ ସମାଜ ପ୍ରତି ତା’ର କର୍ତ୍ତବ୍ୟ ସମ୍ପାଦିତ କରିଛି । ଗରିବ ଲୋକଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ନିଜ ଜନ୍ମମାଟିରେ ଚିକିତ୍ସା ସେବାକୁ ଅଧିକ ବ୍ୟାପକ, ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ସମୟୋପଯୋଗୀ ଶିକ୍ଷାଦାନ ପାଇଁ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓ ଅଞ୍ଚଳରେ ଲୁକ୍କାୟିତ ସାହିତ୍ୟ ପ୍ରତିଭାର ବିକାଶ ପାଇଁ ଏକ ପତ୍ରିକା ପ୍ରକାଶନ ଦିଗରେ ସେ ପ୍ରସ୍ତାବ ଦେଇଥିଲେ ।

ଦୈତାରି ନାୟକ ମେମୋରିଆଲ ଟ୍ରଷ୍ଟର ସଭାପତି ଭଗବାନ ରାଉତଙ୍କ ସଭାପତିତ୍ୱ ଓ କବି ସଚ୍ଚିତ୍ର କୁମାର ବେହୁରାଙ୍କ ସଂଯୋଜନାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ବସନ୍ତ କୁମାର ମଲ୍ଲିକ ଓ କଥାକାର ପ୍ରଦୀପ ନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଗୁରୁଜୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ, ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜୟନ୍ତୀ ସମାରୋହର ଶୁଭ ଉଦ୍‌ଘାଟନ ହୋଇଥିଲା । ଟ୍ରଷ୍ଟର ସଦସ୍ୟ ଶିକ୍ଷାବିତ୍‌ ପାର୍ଥସାରଥୀ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟର ସମ୍ପାଦକ ରଣଜିତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଙ୍ଗୀତ ଗୁରୁ ସୁଧାଂଶୁ ଶେଖର ଦାସ ଗୁରୁ ବନ୍ଦନା ଓ କସ୍ତୁରୀ କଳା ନିକେତନର କଳାକାରମାନେ ଆବାହନୀ ଉତ୍କଳ ସଙ୍ଗୀତ ଗାନ କରିଥିଲେ । କୋଷାଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଟ୍ରଷ୍ଟ ତରଫରୁ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.