ଦେଶରେ କରୋନାକୁ ମାତ୍‌ ଦେଲେଣି ୨ କୋଟିରୁ ଅଧିକ ଲୋକ, ୨୪ ଘଣ୍ଟାରେ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫: ଭାରତରେ କରୋନାର ଦ୍ବିତୀୟ ଲହର ପ୍ରକୋପ କମୁଛି ! ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହା ସହ ଦେଶରେ ସୁସ୍ଥ ସଂଖ୍ୟା ୨ କୋଟି ଟିପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନରେ ଏହା ତୃତୀୟ ଥର ହୋଇଛି ଯେ, ସଂକ୍ରମିତଙ୍କ ଠାରୁ  ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଭାରତରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୪ ହଜାର ୭୭୬ ଆକ୍ରାନ୍ତ ସୁସ୍ଥ ହେବା ସହ ଏବେ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ ହୋଇଯାଇଛି।

ତେବେ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧.୧୬ ପ୍ରତିଶତ ୧୦ ରାଜ୍ୟର। ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ସର୍ବାଧିକ ୪୨ ହଜାର ୫୮୨ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଏହା ପରେ କେରଳରୁ ୩୯,୯୫୫ ଏବଂ କର୍ଣ୍ଣାଟକରୁ ୩୫ ହଜାର ୨୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଏବେ ସୁଦ୍ଧା ଦେଶରେ ୩୧ କୋଟିରୁ ଅଧିକ ନୂମନା ପରୀକ୍ଷା ହୋଇଛି ଏବଂ ସଂକ୍ରମଣ ହାର ଅଳ୍ପ ବଢ଼ି ୭.୭୨ ପ୍ରତିଶତ ହୋଇଯାଇଛି। କିନ୍ତୁ ଦୈନିକ ସଂକ୍ରମଣ ହାର କମି ୨୦.୦୮ ପ୍ରତିଶତ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ଏବେ ୩୭ ଲକ୍ଷ ୪ ହଜାର ୮୯୩ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ଯାହାକି ମୋଟ ମାମଲାର ୧୫.୪୧ ପ୍ରତିଶତ। ଜାତୀୟ ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪୦୦୦ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.