ଡେଲ୍ ଷ୍ଟେନ୍ ସ୍ପିଡ୍ ଓ ସ୍ୱିଂ ମାଷ୍ଟର୍ : ଏକବିଂଶ ଶତାବ୍ଦୀରେ 'ଗନ୍ ଷ୍ଟେନ'ଙ୍କ ଭଳି ବୋଲର ପ୍ରାୟ ନାହାଁନ୍ତି

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ, ୨୮/୦୬:   କ୍ରିକେଟର ସମସ୍ତ ଫର୍ମାଟରେ ବୋଲରଙ୍କୁ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସ୍ପିନର ହୁଅନ୍ତୁ ବା ଦ୍ରୁତ ବୋଲର ଦଳର ବିଜୟରେ ଉଭୟ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ପିଚକୁ ଖାପ ଖୁଆଇ ସ୍ୱିଂ ବୋଲିଂ କରିଥାନ୍ତି ବୋଲର । ବିଶ୍ୱର ଦ୍ରୁତ ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ପେସର୍ ଡେଲ୍ ଷ୍ଟେନ୍ ଅନ୍ୟତମ । ସେ କେବଳ ଦ୍ରୁତ ବୋଲିଂ କରନ୍ତି ନାହିଁ ବରଂ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବା ଭଳି ବଲ୍ ପକାଇତାନ୍ତି ।

ଗତ କିଛି ବର୍ଷ ଧରି ଷ୍ଟେନ୍ ନିଜ ବୋଲିଂ କୌଶଳରେ ପରିବର୍ତ୍ତନ କରିଛନ୍ତି । ଯେପରି ଭାବେ ଷ୍ଟେନ୍ ଗତ କିଛି ବର୍ଷ ହେବ ନିଜ ବୋଲିଂ ଶୈଳୀରେ ପରିବର୍ତ୍ତନ କରିଛନ୍ତି ତାହା ଅନ୍ୟ କୌଣସି ବୋଲରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ ।ଷ୍ଟେନ ନିଜର ନୂଆ ବୋଲିଂ ଷ୍ଟାଇଲରେ ଦକ୍ଷିଣ ହାତର ଦୁଇ ଆଙ୍ଗୁଠିରେ ବଲକୁ ଧରିଥାନ୍ତି । ଏହାପରେ ତାକୁ ସ୍ୱିମ୍ କିମ୍ବା ସିମ୍ ପୋଜିସନରେ ଫିଙ୍ଗିଥାନ୍ତି ।

୧୫୦ କିମି ବେଗରେ ବୋଲିଂ କରିବା ଆଜିକା ସମୟରେ କଷ୍ଟକର ନୁହେଁ । କିନ୍ତୁ ଲଗାତର ଭାବେ ଦିନସାରା ୧୫୦ କିମି ବେଗରେ ଗୁଳି ଭଳି ବୋଲିଂ କରିବା ନିହାତି ଆଶ୍ଚର୍ଯ୍ୟଜନକ । ଯାହା ଷ୍ଟେନଙ୍କ କ୍ଷେତ୍ରରେ ବ୍ୟତିକ୍ରମ । ସେ ବ୍ୟାଟସମ୍ୟାନଙ୍କ ପାଇଁ ହେଉଛନ୍ତି ପ୍ରକୃତ ଅଡୁଆ । ଟେଷ୍ଟ କ୍ରିକେଟରେ ଷ୍ଟେନଙ୍କ ବୋଲିଂ ଅତି ଚମତ୍କାର ଅଟେ । ସେ ହିଁ ଏକମାତ୍ର ବୋଲର ଯିଏକି ଟେଷ୍ଟ ଖେଳୁଥିବା ୯ଟି ଦଳ ବିପକ୍ଷରେ ଗୋଟିଏ ମ୍ୟାଚରେ ୫ଟି ଲେଖାଏଁ ଓ୍ୱିକେଟ୍ ନେଇସାରିଛନ୍ତି ।ସେ ୯୩ଟି ଟେଷ୍ଟ ଖେଳି ୪୩୯ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।

୨୦୦୮ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ  ପର୍ଥରେ ଆକର୍ଷଣୀୟ ବୋଲିଂ କରିଥିଲେ । ଗୋଟିଏ ମ୍ୟାଚର ସେ ୧୦ଟି ଓ୍ୱିକେଟ ନେଇଥିଲେ । ଉଭୟ ଇନିଂସରେ ସେ ୧୫୪ ରନ୍ ବ୍ୟୟ କରି ୧୦ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ୨୦୧୦ରେ ଭାରତ ବିପକ୍ଷ ଏକ ଟେଷ୍ଟରେ ଷ୍ଟେନ୍ ଉଭୟ ଇନିଂସରେ ୫୧ ରନ୍ ବ୍ୟୟ କରି ୭ଟି ଓ୍ୱିକେଟ୍ ନେଇଥିଲେ । ଏଥିରେ ସଚିନ ତେନ୍ଦୁଲକର ଓ ମୁରଲୀ ବିଜୟଙ୍କ ଭଳି ଖେଳାଳିଙ୍କ ଓ୍ୱିକେଟ୍ ସାମିଲ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.