ବ୍ରାଉନସୁଗାର ବିକୁଥିଲେ ଦହିବରା ବେପାରୀ, ବାନ୍ଧିଲା ପୋଲିସ

Published By : Prameya-News7 Bureau | October 14, 2021 IST

ଜଗତସିଂହପୁର,୧୪/୧୦: ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗାର୍‌ ପୁଡ଼ିଆ ବିକ୍ରି କରି ଆସୁଥିବା ଜଣେ ଯୁବକଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ସେ ହେଲା  ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ନାୟକ(୩୫) । ତା’ ପାଖରୁ ବ୍ରାଉନ୍‌ସୁଗାର୍‌ ଥିବା ପ୍ରାୟ ୫୦ଟି ପୁଡ଼ିଆ ମିଳିଛି । ତେବେ ସବୁ ପୁଡ଼ିଆ ମିଶାଇ ସେଥିରୁ ୩ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର୍‌ ଥିବା ଅନୁମାନ କରାଯାଇଛି ।  ବ୍ରାଉନ୍‌ସୁଗାର୍‌ ପୁଡ଼ିଆ କାହା ମାର୍ଫତରେ ଅଣାଯାଇଥିଲା ତାହା ଉପରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି ।

ସ୍ଥାନୀୟ କଲେଜ ଛକରେ ପ୍ରତିଦିନ ଦହିବରା ଆଳୁଦମ୍‌ ବେପାର କରେ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ।  ହେଲେ ସେ ବ୍ରାଉନ୍‌ସୁଗାର୍‌ ପୁଡ଼ିଆ ବେଶ୍‌ ସନ୍ତର୍ପଣରେ ବିକ୍ରି କରି ଆସୁଥିଲା । ଆଜି ଜଗତସିଂହପୁର ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା । କିନ୍ତୁ କଣ୍ଟାବଲ୍ଳଭପୁର ଅଞ୍ଚଳରେ ବ୍ରାଉନ୍‌ସୁଗାର ଚଳାଉଛନ୍ତି ଅନ୍ୟ ଏକ ରାକେଟ୍‌ । ଉକ୍ତ ରାକେଟ୍‌ ହିଁ ସଂପୃକ୍ତ ଦହିବରା ଆଳୁଦମ୍‌ ବେପାରୀକୁ ମୋହରା କରିଥିବା ସନ୍ଦେହ ହେଉଛି । କାରଣ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବ୍ରାଉନ୍‌ସୁଗର ଓ ଚୋରା ପିସ୍ତଲ ନେଟୱର୍କ ଉପରେ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି । 

ଫଳରେ ବ୍ରାଉନ୍‌ସୁଗାର୍‌ ଚାଲାଣକାରୀମାନେ ନୂଆ ଗେମ୍‌ ପ୍ଲାନ ଖେଳି ଫୁଟ୍‌ପାଥ୍‌ରେ ଦୋକାନ ଦେଇଥିବା ନିର୍ଦ୍ଧିଷ୍ଟ କିଛି ଦୋକାନୀମାନଙ୍କୁ ମୋହରା କରିଛନ୍ତି । ବିଶେଷକରି ଫାଷ୍ଟଫୁଡ଼୍‌ ସେଣ୍ଟର ଓ ଦହିବରା ଆଳୁଦମ୍‌ ବେପାରୀଙ୍କ ପକେଟ୍‌ରେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଭର୍ତ୍ତି କରି ନିଶା ମାଫିଆମାନେ ଚତୁରତାର ସହ ନିଜର ରାଜୁତିକୁ ବଜାୟ ରଖିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବ୍ରାଉନ୍‌ସୁଗାର୍‌ର ଏକ ବଡ଼ ରାକେଟ୍‌କୁ କାବୁ କରି ନଗଦ ୨୧ ଲକ୍ଷ ଟଙ୍କା ଜବତ କରି ସାଧାରଣରେ ବେଶ ପ୍ରଶଂସିତ ହୋଇଥିବା ଏରସମା ପୁଲିସ ଆଜି ପୁଣି ତିନି ବ୍ରାଉନ୍‌ସୁଗର୍‌ ବେପାରୀଙ୍କୁ ଗିରଫ କରିଛନ୍ତି । ଏରସମା କୃଷି ବିଭାଗ କାର୍ଯ୍ୟାଳୟ ନିକଟରୁ ଏମାନଙ୍କୁ ପୁଲିସ ପକ୍ଷରୁ ଘେରାଉ କରାଯାଇଥିଲା । ନଗଦ ୧୨୦୦ ଟଙ୍କା ସହ ୧୪ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର୍‌  ଜବତ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଏରସମା ଶିବପୁର ଗ୍ରାମର ବାବୁନା ଓରଫ ବିନୟ କୁମାର ଦାସ(୩୦), ଶ୍ରୀରାମପୁରର ପାପୁନି ଓରଫ ପ୍ରକାଶ ଚନ୍ଦ୍ର ଦାସ(୩୦) ଓ ଗୋବିନ୍ଦପୁରର ପପୁ ଓରଫ ତପନ ତରୁଣ ମହାପାତ୍ର(୪୫) । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରିଣୀ ଲିଜାରାଣୀ ବିଶ୍ୱାଳ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.