ଦାଦା ସାହେବ ପୁରସ୍କାର ବିଜେତା ଫିଲ୍ମନିର୍ମାତା ମୃଣାଳ ସେନଙ୍କ ପରଲୋକ

Published By : Prameya-News7 Bureau | December 30, 2018 IST

କୋଲକାତା ୩୦/୧୨: ବଙ୍ଗଳା ଫିଲ୍ମର ପ୍ରଖ୍ୟାତ ନିର୍ମାତା ଏବଂ ନିର୍ଦ୍ଦେଶକ ମୃଣାଳ ସେନଙ୍କ ୯୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କୋଲକାତାର ଭବାନୀପୁର ସ୍ଥିତ ଘରେ ରବିବାର ପୂର୍ବାହ୍ନରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କୁ ୧୯୮୧ ମସିହାରେ ପଦ୍ମଭୂଷଣ ଏବଂ ୨୦୦୫ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ମୃଣାଳ ୧୯୯୮ମସିହାରୁ ୨୦୦୦ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ସାଂସଦ ମନୋନୀତ ହୋଇଥିଲେ। ଓଡିଆ ଫିଲ୍ମ ମାଟିର ମଣିଷର ମଧ୍ୟ ସେ ଥିଲେ ନିର୍ଦ୍ଦେଶକ ।

୧୯୫୫ମସିହାରେ ମୃଣାଳ ନିଜର ପ୍ରଥମ ଫିଚର ଫିଲ୍ମ ‘ରାତଭୋର’ କରିଥିଲେ। ତାଙ୍କର ପରବର୍ତ୍ତୀ ଫିଲ୍ମ ‘ନୀଲ ଆକାଶେର ନିଚେ’ ତାଙ୍କୁ ପରିଚୟ ଦେଇଥିଲା। ତାଙ୍କର ତୃତୀୟ ଫିଲ୍ମ ‘ବାଇଶେର ଶ୍ରାବୋଣ’ ନିମନ୍ତେ ତାଙ୍କୁ ଆର୍ନ୍ତଜାତୀୟ ସ୍ତରରେ ପ୍ରତିଷ୍ଠା ମିଳିଥିଲା।

ମୃଣାଳଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି –‘ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଦେଶ ତାଙ୍କପ୍ରତି କୃତଜ୍ଞ କାରଣ ମୃଣାଳ ସେନ ଅନେକ ସ୍ମରଣୀୟ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ତାଙ୍କ କାମ ପରବର୍ତ୍ତି ପିଢ଼ୀ ନିଶ୍ଚୟ ମନେ ରଖିବେ’।  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି-‘ ତାଙ୍କ ଦେହାନ୍ତ ଖବର ଶୁଣି ଦୁଃଖୀ ହେଲି। ଏହା ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମୋ ସମ୍ବେଦନା ତାଙ୍କ ପରିବାର ସହ ରହିଛି।’

୧୯୨୩ମସିହାରେ ଫରୀଦପୁର (ଏବେ ବାଙ୍ଗଲାଦେଶ) ରେ ଜନ୍ମଗ୍ରହଣ କରିଥିବା ମୃଣାଳ ‘ଭୁବନଶୋମ’(୧୯୬୯),‘କୋରସ୍’(୧୯୭୪),‘ମୃଗୟା’(୧୯୭୬) ଏବଂ ‘ଅକାଲେର ସନ୍ଧାନେ’(୧୯୮୦) ଭଳି ଫିଲ୍ମର ନିର୍ମାତା ଥିଲେ। ଏହି ୪ଟି ଫିଲ୍ମକୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ରାଷ୍ଟ୍ରୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ‘ମୃଗୟା’ ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମ ଥିଲା। ଏଥିରେ ମିଥୁନ ସର୍ବଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ଜିତିଥିଲେ। ମୃଣାଳଙ୍କ ଶେଷ ଫିଲ୍ମ ୨୦୦୨ମସିହାରେ ‘ଆମାର ଭୁବନ’ ଥିଲା।

ମୃଣାଳ ମାର୍କ୍ସବାଦୀ ଚିନ୍ତାଧାରାରେ ପ୍ରେରିତ ଥିଲେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ସାଂସ୍କୃତିକ ଶାଖା ସହ ଜଡ଼ିତ ଥିଲେ। ସେ ଇଣ୍ଡିଆନ୍ ପିପୁଲସ୍ ଥିଏଟର ଏସୋସିଏସନର ଏକ ଅଂଶ ଥିଲେ। ଆନ୍ତର୍ଜାତୀୟ ମଞ୍ଚରେ ଜଣେ ଦକ୍ଷ ସମାନ୍ତରାଳ ସିନେମାର ଦର୍ଶକଭାବେ ତାଙ୍କର ଖ୍ୟାତି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.