ତାମିଲନାଡୁରେ ପ୍ରାଣ ହରାଇଲେ ଦାଦନ ଶ୍ରମିକ, ଅର୍ଥାଭାବ ପାଇଁ ଆସିପାରୁନି ମୃତଦେହ

Published By : Prameya-News7 Bureau | July 19, 2021 IST

କଳାହାଣ୍ଡି, ୧୯/୦୭:   ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଅଞ୍ଚଳର ଆଉ ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଛି । ଆସିପାରୁନି ମୃତଦେହ । ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।

ମୃତକ ହେଲେ ସିନ୍ଧିପଦର ପଞ୍ଚାୟତ ସମାପଲାର  ବିନାରସିଂ ମାଝା ( ୩୧ ) ।  ବିନାରସିଂଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ସୂଚନାନୁସାରେ, ବିନାରସିଂ ଗତ ଦୁଇ ବର୍ଷରୁ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇଥିଲେ । କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ସାଥୀ ଶ୍ରମିକ ମାନେ ତାଙ୍କୁ କୋଏମ୍ବାଟୁର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା ।

ଅର୍ଥାଭାବ ଯୋଗୁଁ ଗାଁକୁ ବିନାରସିଂଙ୍କ ମୃତଦେହ ଫେରିପାରୁନି । ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ବିନାରସିଂ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ରୋଜଗାରିଆ ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଏବେ ବେସାହାରା ହୋଇପଡ଼ିଛନ୍ତି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୃତଦେହ ଫେରାଇ ଆଣିବାକୁ ସେଠିକାର ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.