ମୋବାଇଲ ଫୋନ୍ ଲୁଚାଇ ଦେଇଥିଲେ ବାପା, ରାଗିଯାଇ ପଥରରେ ଛେଚି ମାରିଦେଲା ଝିଅ : ମା ସହ ମିଶି ପୋତିଦେଲା ଶବ

Published By : Prameya-News7 Bureau | January 26, 2021 IST

ବିଳାସପୁର ୨୬/୦୧ : ଛତୀଶଗଡର ବିଳାସପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା ମୋବାଇଲ ଫୋନ ଲୁଚାଇଦେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଝିଅ । କେବଳ ସେତିକି ନୁହେଁ ମା ସହ ମିଶି ମୃତଦେହକୁ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରେ ମା-ଝିଅ ଉଭୟଙ୍କୁ ଗିରଫ କରିନେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବିଳାସପୁର ଜିଲ୍ଲା କୋଟା ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ ମଙ୍ଗଲୁରାମ ଧନଓ୍ବରଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଝିଅ ଦିବ୍ୟା ଏବଂ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଝିଅ ଦିବ୍ୟା ନିଜ ପିତାଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲା । ଯେଉଁଥିପାଇଁ ପିତା ମଙ୍ଗଲୁରାମ ଧନଓ୍ବର ଅସନ୍ତୁଷ୍ଟ ଥିଲେ ।

ଗତ ୨୩ ତାରିଖରେ ଝିଅ ଶାଶୁ ଘରୁ ନିଜ ବାପାଙ୍କ ଘରକୁ ଆସିଥିଲା । ତା ପର ଦିନ ଅର୍ଥାତ ୨୪ ତାରିଖରେ ସେ ତାଙ୍କ ଫୋନ ଘରେ କେଉଁଠି ବି ପାଇନଥିଲେ । ଏ ବାବଦରେ ନିଜ ପିତାଙ୍କୁ ପଚାରିବାରୁ ମଙ୍ଗଲୁରାମ ସଠିକ୍‌ ଜବାବ ଦେଇନଥିଲେ । ମୋବାଇଲ ହଜିବାକୁ ନେଇ ଦିନ ତମାମ ପାଟିତୁଣ୍ଡ ଲାଗିଥିଲା । ମୋବାଇଲ ନମିଳିବାରୁ ଉତକ୍ଷିପ୍ତ ଝିଅ ପିତାଙ୍କୁ ନିସ୍ତୁକ ପିଟିଥିଲା । ଚିତ୍କାର ଶୁଣି ପଡୋଶୀ ସେଠାରେ ପହଞ୍ଚିଥିଲେ କିନ୍ତୁ ଅଭିଯୁକ୍ତ ଝିଅ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ତେବେ ସେଠାରୁ ପଡୋଶୀ ଚାଲିଯିବା ପରେ ମଙ୍ଗଲୁରାମଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଝିଅ । ଏହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଝିଅ ବିଦ୍ୟା ଏବଂ ମା ଉଭୟ ମଙ୍ଗଲୁରାମଙ୍କ ମୃତ ଦେହକୁ ତରବରିଆ ଭାବେ ପୋତି ଦେଇଥିଲେ । ତେବେ ପୋଲିସ ଖୋଳତାଡ କରି ଉଭୟଙ୍କୁ ଗିରଫ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.