Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାୟକଙ୍କ ହାତରେ କୋଦାଳ: କାଦ ପିଚିପିଚି ରାସ୍ତାରେ ମାଟି ପକାଇ କଲେ ସମତୁଲ

21/07/2019 at 7:51 PM

ନବରଙ୍ଗପୁର୨୧|୭: ବିଧାୟକଙ୍କ ହାତରେ କୋଦାଳ ।  ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ମୋରମ ମାଟିକୁ ସମତୁଲ କରି ଯାତାୟାତ ଉପଯୋଗୀ କରିଥିଲେ । ବିଧାୟକଙ୍କ ଏପରି କାର୍ଯ୍ୟ ଅନ୍ୟ ଜନପ୍ରତିନିଧି ପାଇଁ ଏକ ଉଦାହରଣ ପାଲଟିଛି ।

ଝିପି ଝିପି ବର୍ଷାରେ ମୁଣ୍ଡରେ ପଗଡ଼ି ଓ ହାତରେ କୋଦାଳ ଧରି ନିଜେ ଓଦା ହୋଇ ଗ୍ରାମର କାଦୁଅ ମାଟିକୁ ସମତୁଲ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ମନୋହର ରନ୍ଧାରୀ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରି ସେ  ନିଜ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଲୋକଙ୍କ ନିକଟତର ହେବା ପାଇଁ ବର୍ଷା ଦିନ ରେ ଧାନ ଜମିରେ କାମ କରୁଥିବା ମହିଳା ଶ୍ରମିକ ମାନଙ୍କ ନିମନ୍ତେ ରେନକୋଟ, ଚା, ବିସ୍କୁଟ ବାଣ୍ଟିବା ନିମନ୍ତେ ବାହାରିଥିଲେ । 

ଏହି କାର୍ଯ୍ୟକ୍ରମ ନେଇ ସେ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର  କଣ୍ଟାସରରୁ ଜବାଗୁଡାକୁ ଯାଉଥିଲେ । ତେବେ ନିଜ କର୍ମୀମାନଙ୍କ ସହିତ ଏହି ଗ୍ରାମକୁ ଯିବା ସମୟରେ ଗାଁ ଆରମ୍ଭରେ ଥିବା କାଦୁଅ ରାସ୍ତାରେ ଗାଡ଼ି ଆଉ ଗଡ଼ିବା ସମ୍ଭବପର ହୋଇପାରିନଥିଲା । ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ କର୍ମୀମାନେ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ନିକଟରେ ଥିବା ମୋରମ ଆଣି ସେହି ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରି ଗମନାଗମନ ଉପଯୋଗୀ କରିଥିଲେ ।

ବିଧାୟକଙ୍କ ଏହି କାର୍ଯ୍ୟ ସାଙ୍ଗରେ ଥିବା କର୍ମୀ ମାନଙ୍କୁ ମଧ୍ୟ କାମ କରିବାର ପ୍ରେରଣା ଯୋଗାଇଥିଲା । ନିର୍ବାଚନ ଆସିଲେ ମାଳମାଳ ପ୍ରତିଶ୍ରୁତି ନେଇ ଗାଁ ମୁହାଁ ହୁଅନ୍ତି ନେତା କିନ୍ତୁ ନିର୍ବାଚନରେ ବିଜୟ ହେଲା ପରେ ଆଉ ଅନେକ ଦିନ ପର୍ଯ୍ୟନ୍ତ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଯିବା ସହିତ ଗାଁରେ ଦେଖା ମିଳେନାହିଁ ନେତାଙ୍କର । କିନ୍ତୁ ମନୋହରଙ୍କ ଏହି କାର୍ଯ୍ୟ ପ୍ରତିଶୃତି ଦେଇ ଭୁଲିଯାଉଥିବା ନେତାଙ୍କ ପାଇଁ ଉଦାହରଣ ତିଆରି କରିଛି ।

ଅପରପକ୍ଷରେ  ନିର୍ବାଚନରେ ବିଜୟ ପରେ ଘରେ ନ ବସି ଭୋଟର, ମହିଳା ଶ୍ରମିକଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଜମିକୁ ଯାଇ ଦୈନିକ ୨୫ଶହ ରେନକୋଟ ବଣ୍ଟନ କରିବା ସହିତ ଚା ବିସ୍କୁଟ ଦିଅନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ।

ଡାବୁଗାଁ ନିର୍ବାଚନ ମଣ୍ଡଳୀର  ବର୍ତ୍ତମାନ ସୁଦ୍ଧା ୧୦୫  ଗ୍ରାମକୁ ପକ୍କା ରାସ୍ତା ନାହିଁ ଓ ଖାସ କରି ମୈଦଲପୁର ଅଞ୍ଚଳର ୨୦ଟି ଗ୍ରାମକୁ ରାସ୍ତା ନାହିଁ । ତେବେ ତାଙ୍କ ନଜର କୁ ଆସିଥିବା ଏବଂ ସେହି ଚିହ୍ନଟ କରିଥିବା ରାସ୍ତା ଗୁଡିକୁ ଯଥାଶୀଘ୍ର ମରାମତି କରିବା ପାଇଁ ବ୍ୟବସ୍ଥା କରିବେ ବୋଲି ବିଧାୟକ ମନୋହର କହିଛନ୍ତି । 

   Related Posts