ଚାଷୀ ସାଜିଲେ ବିଧାୟକ ରନ୍ଧାରୀ, ନିଜ କ୍ଷେତରେ ନିଜେ ବୁଲାଇଲେ ହଳ

Published By : Prameya-News7 Bureau | August 17, 2020 IST

ନବରଙ୍ଗପୁର ୧୭।୮: ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ତାଙ୍କ ଜମିରେ ଚାଷ କାମ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ବର୍ଷାର ଅଭାବ କାରଣରୁ ଚାଷୀ ଚିନ୍ତାରେ ବସିଥିବା ସମୟରେ ଲଘୁଚାପଜନିତ ଲଗାଣ ବର୍ଷାକୁ ନେଇ ଜିଲ୍ଲାର ସମସ୍ତ ଚାଷୀ ଖୁସିରେ ଅଛନ୍ତି।

ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ବିଧାୟକ ହେବା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଅଧିନରେ ଜଣେ ବରିଷ୍ଠ କିରାଣୀ ଭାବେ ଚାକିରୀ କରୁଥିଲେ । ଏହାସହ ସେ ତାଙ୍କ ଚାଷ ଜମି ଗୁଡିକର ବୁଝାସୁଝା କରିବାରେ ବାପାଙ୍କୁ ସହାୟତା ମଧ୍ୟ କରୁଥିଲେ। ବିଧାୟକ ମନୋହର ରାନ୍ଧରୀଙ୍କ ବାପା ଡମ୍ବୁରୁ ରନ୍ଧାରୀଙ୍କ ପରଲୋକ ହେବାପରେ ଚାଷ କାମର ଗୁରୁ ଦାୟିତ୍ବ ମଧ୍ୟ ବିଧାୟକଙ୍କ ଉପରେ ରହିଛି।

ଲଘୁଚାପଜନିତ ବର୍ଷା ଯୋଗୁଁ ବିଧାୟକ ଜୀବନର ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ମନୋହର ରନ୍ଧାରୀ ନବରଙ୍ଗପୁର ବ୍ଲକ୍ ପୂଜାରୀଗୁଡା ଗାଁରେ ଥିବା ୧୦ ଏକର ଚାଷ ଜମିରେ ଧାନ ତଳି ଲଗେଇବା, ହିଡ ବାନ୍ଧିବା, ଜମିରେ ଲଙ୍ଗଳ ବୁଲାଇବା ଭଳି କାମଗୁଡିକ ନିଜେ କରୁଥିବାର ଦେଖିବାକୁ ମିଳିଛି। ଏହା ଚାଷ କାର୍ଯ୍ୟକୁ ନେଇ ବିମୁଖ ମନୋଭାବ ପୋଷଣ କରୁଥିବା ଯୁବଗୋଷ୍ଠୀ ପାଇଁ ଏକ ଉଦାହରଣ ସୃଷ୍ଟି କରିବାରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.