ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦେହାନ୍ତ: ବ୍ରେନ୍ ଟ୍ୟୁମର ସହ କୋଭିଡ୍ରେ ଥିଲେ ଆକ୍ରାନ୍ତ
13/01/2021 at 5:20 PM

କଟକ୧୩/୧: ସମାଜସେବୀ ତଥା ପଦ୍ମଶ୍ରୀ ସମ୍ମାନୀତ ଡି. ପ୍ରକାଶ ରାଓଙ୍କ ଦେହାନ୍ତହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ବ୍ରେନ ଟ୍ୟୁମର ସହ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତ ୨୦ ଦିନ ହେବ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ପ୍ରକାଶ କଟକରେ ରହନ୍ତି।ପେଶାରେ ସେ ଜଣେ ଚା’ ବିକାଳି ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ସେ ପରିଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।
ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ ଡାକ୍ତରକାନାକୁ ସବୁଦିନ ଯାଆନ୍ତି । ସେଠାରେ ରୋଗୀମାନଙ୍କର ଯେକୌଣସି ସେବା ଆବଶ୍ୟକ, ସେ ନିଜ ସାଧ୍ୟମତେ କରିଥାନ୍ତି । ଇତିମଧ୍ୟରେ ସେ ୨୧୭ଥର ରକ୍ତଦାନ କରିଥିଲେ। ମୃତ୍ୟୁ ପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ। ଏତବ୍ୟତୀତ, ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଥିଲେ। ସ୍କୁଲର ନାମ ରଖିଥିଲେ “ଆଶା ଆଶ୍ୱାସନା ଗୃହ” ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ଶିକ୍ଷାଦାନ କରନ୍ତି । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢ଼ାଉଥିଲେ। ଚା’ ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରନ୍ତି। ତାଙ୍କର ଏହି ସମାଜସେବା ଦେଖି ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ବଦାନ୍ୟବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।
ସ୍ତ୍ରୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟାଙ୍କୁ ନେଇ ପ୍ରକାଶଙ୍କର ପରିବାର। ରାଓଙ୍କର ଅଣଜେଜେ ଡି ଆପାଲସ୍ୱାମୀ କାକିନାଡାରୁ ଆସି କଟକରେ ରହିଥିଲେ। ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି। “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ପରିଚାଳକ। ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ। ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ବିଶ୍ୱଯୁଦ୍ଧପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ। ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ।