ସମ୍ବିଧାନ ପ୍ରଣେତା ଡା. ଆମ୍ବେଦକରଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହ
14/04/2020 at 12:01 PM

ନୂଆଦିଲ୍ଲୀ, ୧୪|୦୪: ଆଜି ହେଉଛି ଭାରତୀୟ ସମ୍ବିଧାନର ଜନକ କୁହାଯାଉଥିବା ଡା. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ । ଆମ୍ବେଦକରଙ୍କ ଜୟନ୍ତୀରେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସେହିପରି ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମ୍ବେଧାନ ପ୍ରଣେତା ଡ. ଆମ୍ବେଦକର ଏପ୍ରିଲ ୧୪, ୧୮୯୧ରେ ଜନ୍ମଗ୍ରହଣ କରିଥିବା ବେଳେ ଡିସେମ୍ବର ୬, ୧୯୫୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ ଯୋଗେ ଏହି ମହାନପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ନେତ୍ରୀ ମାୟାବତୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏହି ଯୁଗପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।