ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ , ନେଇପାରେ ବାତ୍ୟାର ରୂପ

Published By : Prameya-News7 Bureau | May 13, 2020 IST

ଭୁବନେଶ୍ୱର ୧୩।୦୫ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୪୮ ଘଣ୍ଟା ଭିତରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଆହୁରି ବଳ ଜୁଟାଇ ବାତ୍ୟା ରୂପ ନେଇପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି । ତେବେ ସମ୍ଭାବ୍ୟ ଲଘୁଚାପ ବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଅଧିକାଂଶ ମଡେଲ୍‌ ପୂର୍ବାନୁମାନ କରିଛନ୍ତି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇପାରେ । ତେବେ ଏହା କେତେ ବାତ୍ୟା ରୂପ ନେବ କି ନାହିଁ, ଏହା କେଉଁ ଉପକୂଳ ଆଡ଼କୁ ଗତି କରିବ, ଏବେଠାରୁ ସେ ନେଇ କୌଣସି ଆକଳନ କରାଯାଇନାହିଁ । ତଥାପି ବର୍ତ୍ତମାନର ଆକଳନରୁ ଜଣାପଡ଼ୁଛି, ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା ପରିଲକ୍ଷିତ ହେଉନାହିଁ । ତେବେ ପାଣିପାଗ ବିଭାଗ ଏହାର ଗତିବଧି ଉପରେ ନଜର ରଖିଛି । ଆଗକୁ ସ୍ପଷ୍ଟ ଚିତ୍ର ମିିଳିବ ।

ବିଭିନ୍ନ ପାଣିପାଗ ମଡେଲକୁ ଅନୁଧ୍ୟାନ କରି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଆସନ୍ତାକାଲି ( ୧୩ ତାରିଖ) କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ୧୫ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହାର ଗତି ପ୍ରଥମେ ଉତ୍ତର-ଉତ୍ତର ପୂର୍ବ ଓ ପରେ ଉତ୍ତର ପୂର୍ବ ଦିଗରେ ରହିବ । ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଆସନ୍ତା ୧୮ ତାରିଖବେଳକୁ ସମ୍ଭାବ୍ୟ ବାତ୍ୟା ଦୁର୍ବଳ ହୋଇପାରେ । ସ୍ଥଳଭାଗ ଛୁଇଁବାକୁ ଏହା ଆହୁରି ୨୪ରୁ ୪୮ ଘଣ୍ଟା ସମୟ ନେଇପାରେ । ସମ୍ଭାବ୍ୟ ବାତ୍ୟାର ଗତି ମନ୍ଥର ରହିବ । ଏହା ମିଆଁମାର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଯିବାର ସମ୍ଭାବନା ଅଧିକ ରହିଛି । ଓଡ଼ିଶା ଉପରେ ପ୍ରଭାବ ସମ୍ଭାବନା ନାହିଁ । ତେବେ ୧୭ ତାରିଖରେ ଓଡ଼ିଶା ଉପକୂଳରେ ପାଗ ଆଂଶିକ ମେଘୁଆ ରହିପାରେ ।

ତେବେ ଭିନ୍ନ ଆକଳନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ । ତାଙ୍କ ଆକଳନ ଅନୁଯାୟୀ ଆସନ୍ତାକାଲି ସୁଦ୍ଧା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ତାମିଲନାଡ଼ୁ ଉପକୂଳରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ମେ’ ୧୬ ତାରିଖ ରାତିରୁ ଏହି ପ୍ରକ୍ରିୟା ତୀବ୍ର ହେବ । ଏ ନେଇ ଆସନ୍ତା ୧୫ ତାରିଖ ସୁଦ୍ଧା ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ବଙ୍ଗୋପସାଗରରେ ଏହା ଘନୀଭୂତ ହେଉଥିବାବେଳେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଉପକୂଳରେ ମେ’ ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ । ଆସନ୍ତା ୧୯ ଓ ୨୦ ତାରିଖବେଳକୁ ଏହା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବା ସମ୍ଭାବନା ଅଛି । ଏହି ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ହେବା ପାଇଁ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ଜଳପତ୍ତନର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ ରହିଥିବାରୁ ଏହାର ସମ୍ଭାବନା ଦୃଢ଼ୀଭୂତ ହୋଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବା ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ।

ଡକ୍ଟର ସାହୁଙ୍କ କହିବାନୁଯାୟୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଦିନ ତାପମାତ୍ରା ୩୫ରୁ ୪୦ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ୧୬ ତାରିଖ ପରେ ରାଜ୍ୟରେ ଅସ୍ୱସ୍ତିକର ପାଣିପାଗ ସୃଷ୍ଟି ହେବା ସମ୍ଭାବନା ଅଛି । ୧୮ରୁ ୨୦ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିପାରେ ।

ଆଜି ତାଳଚେରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଟିଟିଲାଗଡ଼ ୪୧ ଡିଗ୍ରୀ, ମାଲକାନଗିରି ୪୦, ପାରଳାଖେମୁଣ୍ଡି ୪୦.୫, ସମ୍ବଲପୁର ୩୯.୪, ଭବାନୀପାଟଣା ୩୯.୭, ବଲାଙ୍ଗିର ୩୯, ସୋନପୁର ୩୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଅନୁଗୁଳ, ବୌଦ୍ଧ, ନବରଙ୍ଗପୁରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା, ପବନ ଆଶଙ୍କା ଅଛି । ୧୬ ଯାଏଁ ଏମିତି କାଳବୈଶାଖୀ ସମ୍ଭାବନା ଥିବାବେଳେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.