ପଶ୍ଚିମବଙ୍ଗ ମୁହାଁ ହୋଇଛି ‘ତିତଲି' : ଆସନ୍ତାକାଲି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ; ଗଜପତି, ଗଞ୍ଜାମ ବେଶୀ କ୍ଷତିଗ୍ରସ୍ତ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ଦୁର୍ବଳ ହୋଇପଡିଛି ସିଭିଅର ସାଇକ୍ଲେନିକ୍ ଷ୍ଟର୍ମ । ଏହା ପଶ୍ଚିମବଙ୍ଗ ମୁହାଁ ହୋଇଛି । ସଂଧ୍ୟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଯେତିକି ଆଶଙ୍କା କରାଯାଉଥିଲା ତା ତୁଳନାରେ ବହୁତ କମ୍ କ୍ଷୟକ୍ଷତି ହୋଇଛି । ତେବେ ସରକାରୀ ଭାବରେ କାହାରି ମୃତ୍ୟୁ ହୋଇନଥିବା କୁହାଯାଇଛି । ଏବେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ବର୍ଷା ହେଉଛି । ଆସନ୍ତାକାଲି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ । ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ପ୍ରବଳ ପବନ ଯୋଗୁଁ ଗଜପତିରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ବଡ ଗଛ ଉପୁଡି ଯାତାୟତ ବନ୍ଦ ହୋଇଛି । ମୋହନାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲା ମୋହନା ଅଠରନଳା ପୋଲ ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି । ଏଥିଯୋଗୁଁ ମୋହନା-ଅନ୍ତରମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗଞ୍ଜାମରେ ତିତଲିର ପ୍ରଭାବ ପଡିଛି । ଗୋପାଳପୁର, ଅଲିପୁର, ଛତ୍ରପୁର ଯିବା ରାସ୍ତାରେ ପାଣି ପ୍ରବାହିତ ହେଉଛି । ରାସ୍ତା ଉପରେ ବଡ ବଡ ଗଛ ଉପୁଡି ପଡିଛି । ଏବେ ଗଛପଡି ଗଞ୍ଜାମରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଯୁଗ୍ମ କମିଟି ଗଠନ ହୋଇଥିବା ଏସଆରସି କହିଛନ୍ତି । ଏହି କମିଟି ୧୫ଦିନ ଭିତରେ ରିପୋର୍ଟ ଦେବ । ‘ତିତଲି' କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ଯେ ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ତିତଲି । ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗଜପତିକୁ ଆଉ ୨ଟି ଏନଡିଆରଏଫ ଟିମ୍ ପଠାଯାଇଛି । ଗଜପତି ଜିଲ୍ଲାରେ ମୋଟ୍ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ବିଭିନ୍ନ ସ୍ଥାନରେ ମୋଟ୍ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରିଲିଫ କେନ୍ଦ୍ରରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ବିଦ୍ୟୁତ୍ ଓ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.