ସନ୍ଥଗୁଡାରେ ଉପକୂଳ ଅତିକ୍ରମ କଲା ବାତ୍ୟା ‘ଗୁଲାବ’, ସ୍ଥଳଭାଗ ଛୁଇଁବା ପରେ ବିଶେଷ ପ୍ରଭାବ ନାହିଁ

Published By : Prameya-News7 Bureau | September 26, 2021 IST

ଗୋପାଳପୁର ୨୬/୦୯ : ଉପକୂଳ ଅତିକ୍ରମ କଲା ବାତ୍ୟା ‘ଗୁଲାବ’ । ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ୍‌ ଠାରୁ ୨୦ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ସାମୁଦ୍ରିକ ଝଡ ଗୁଲାବ । ଶ୍ରୀକାକୁଲମର ସନ୍ଥଗୁଡା ଠାରେ ଳଭାଗ ଛୁଇଁବା ପରେ ସାମୁଦ୍ରିକ ଝଡ ଗୁଲାବର ବିଶେଷ ପ୍ରଭାବ ଅନୁଭୁତ ହୋଇନାହିଁ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ କିମି ରହିଛି । କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ପବନର ବେଗ ମଧ୍ୟ ବିଶେଷ ଭାବେ ନାହିଁ । ସନ୍ଧ୍ୟା ୬ଟାରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହା ୩ ଘଣ୍ଟା ଧରି ଚାଲୁ ରହିବ ବୋଲି ସୂଚନା ଦେଇଥିଲେ ଆଇଏମ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ର । ଲ୍ୟାଣ୍ଡଫଲ ବେଳେ ଅତି ବର୍ଷା କିମ୍ବା ପବନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଆସନ୍ତା ୬ ଘଣ୍ଟା ଯାଏଁ ବାତ୍ୟାର ପ୍ରକୋପ ଅନୁଭୁତ ହେବ । ଏହା ପରେ ସାମୁଦ୍ରିକ ଝଡ ଗୁଲାବ ଗଭୀର ଅବପାତରେ ରୂପାନ୍ତରିତ ହୋଇ ଦୁର୍ବଳ ହେବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ତେବେ ବର୍ତ୍ତମାନ ସୁଦ୍ଧା ଓଡିଶାର କୌଣସି ଅଞ୍ଚଳରେ ପ୍ରବାବ ଅନୁଭୁତ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.