ଦାନା ବାନ୍ଧୁଛି ବାତ୍ୟା ‘ଆମ୍ଫାନ୍‌’: ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ, ହେବ ବର୍ଷା ଓ ପବନ

Published By : Prameya-News7 Bureau | May 05, 2020 IST

ଭୁବନେଶ୍ୱର ୦୫।୦୫: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବର୍ତ୍ତମାନର ଲଘୁଚାପ ଦୁର୍ବଳ ହେବା ପରେ ଆଉ ଏକ ଲଘୁଚାପ ଆସିବ । ଯାହାକି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ହେବ ‘ଆମ୍ଫାନ୍‌’ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳକୁ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯାଇପାରେ। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନ ପ୍ରକୋପ ପକାଇବା ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ଜିଏଫ୍‌ଏସ୍‌ ମଡେଲକୁ ଅନୁଧ୍ୟାନ କରି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବା ଦକ୍ଷିଣ ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ଘନୀଭୂତ ହେବା ସମ୍ଭାବନା ନାହିଁ । ହେଲେ ଏହା ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହାକି ବାତ୍ୟା ରୂପ ନେଇପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜିଏଫ୍‌ଏସ୍‌ ମଡେଲର ତଥ୍ୟକୁ ବିଶ୍ଳେଷଣ କରି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୭ ତାରିଖବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୯ ତାରିଖବେଳକୁ ଏହା ଲଘୁଚାପରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ୧୧ ତାରିଖ ବେଳକୁ ଭୀଷଣ ଅବପାତ ଓ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଆଗକୁ ବଢ଼ିବ । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଖ ଦେଇ ଯିବ । ୧୩ ତାରିଖ ସକାଳ ୫ଟା ୩୦ ପାଖାପାଖି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ଘଷି ହେବା ସମ୍ଭାବନା ରହିଛି । ଗୋପାଳପୁରରୁ ପୁରୀ ମଧ୍ୟରେ ଏହା ଓଡ଼ିଶା ଉପକୂଳକୁ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ ।

ଓଡ଼ିଶାରେ ଘଷି ହୋଇ ଯିବାବେଳେ ‘ଆମ୍ଫାନ’ ସିଭିୟର ସାଇକ୍ଲୋନ୍‌ (ଭୀଷଣ ବାତ୍ୟା) ଅବସ୍ଥାରେ ଥିବ । ବାତ୍ୟାର କେନ୍ଦ୍ରୀୟ ବଳୟରେ ଘଣ୍ଟା ପ୍ରତି ୯୦ କିଲୋମିଟରରୁ ୧୨୦ କିଲୋମିଟର ପବନ ବହିପାରେ । ତେବେ ଓଡ଼ିଶାରେ ପବନର ପ୍ରକୋପ କେତେ ରହିବ, ଏବେଠାରୁ କହିହେବନି । ହେଲେ ରାଜ୍ୟରେ ବର୍ଷା, ପବନ ସମ୍ଭାବନା ରହିଛି ।ତେବେ ୟୁରୋପୀୟ ପାଣିପାଗ ସଂସ୍ଥା ମିଡିୟମ ରେଞ୍ଜ ୱେଦର ପୂର୍ବାନୁମାନ ଭିନ୍ନ ରହିଛି। ଏହାର ମଡେଲ୍‌ କହୁଛି, ଆସନ୍ତା ୭ ତାରିଖ ବେଳକୁ ଶ୍ରୀଲଙ୍କା, ତାମିଲନାଡ଼ୁ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୦ ତାରିଖବେଳକୁ ଏହା ସଂଗଠିତ ହେବ । ମାତ୍ର ପରେ ଏହା ଅଧିକ ଘନୀଭୂତ ହେବା ଲକ୍ଷଣ ଦେଖାଯାଉନି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ବର୍ତ୍ତମାନ ଯେଉଁ ଲଘୁଚାପ ରହିଛି, ତାହା ଆସନ୍ତା ୫ ଦିନ ଭିତରେ ଘନୀଭୂତ ହେବା ସମ୍ଭାବନା କମ୍‌ । ଅପରପକ୍ଷରେ ଓଡ଼ିଶାରେ ଆସନ୍ତା ଦୁଇଦିନ କାଳବୈଶାଖୀ ପ୍ରକୋପ ଅଧିକ ରହିବ । ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ବର୍ଷା, ପବନ ହୋଇପାରେ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳରେ କାଳବୈଶାଖୀ ଆଶଙ୍କା ଅଛି । ଏସବୁ ଜିଲ୍ଲାରେ ୫୦-୬୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । ବାକି ଅଞ୍ଚଳରେ ୩୦-୪୦ କିମି ବେଗରେ ପବନ ବହିପାରେ କାଳବୈଶାଖୀ ପ୍ରଭାବରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.