ପାରାଦୀପରୁ ୬ଶହ କିଲୋମିଟର ଦୂରରେ ମହାବାତ୍ୟା ‘ଅମ୍ଫାନ୍’ : ଓଡିଶା ଉପକୂଳରେ ପ୍ରବଳ ବର୍ଷା ସହ ୧୦୦କି.ମି.ରୁ ଅଧିକ ବେଗରେ ବହିବ ପବନ

Published By : Prameya-News7 Bureau | May 19, 2020 IST

ଭୁବନେଶ୍ବର ୧୯।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ମହାବାତ୍ୟାର ରୂପ ନେଇଛି । ଏହା ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଉତ୍ତରଦିଗକୁ ଗତିକରି ଆଗକୁ ବଢୁଛି । ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ପବନର ବେଗ ୨୩୦ ରୁ ୨୪୦ କିଲୋମିଟର ରହିଛି ।

ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ‘ଅମ୍ଫାନ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ୧୫୫ରୁ ୧୮୫ କିଲୋମିଟର ରହିବ ।

‘ଅମ୍ଫାନ’ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଗଜପତି, ଗଞ୍ଜମା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବର୍ଷା ହେବ । ସେହିଭଳି ମଙ୍ଗଳବାର ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ବର୍ଷା ହେବ ।

୨୦ ତାରିଖ ଦିନ ଓଡ଼ିଶାର ୫ଟି ଜିଲ୍ଲା ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସହ ପବନର ବେଗ ୧୦୦ କିଲୋମିଟରରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନର ବେଗ ୭୫କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।

୧୯୯୯ ମହାବାତ୍ୟା ପରେ ‘ଅମ୍ଫାନ’ ହେଉଛି ବଙ୍ଗୋପସାଗରରେ ଦ୍ବିତୀୟ ମହାବାତ୍ୟା । ଓଡ଼ିଶା ଉପକୂଳର ୧୦୦ରୁ ୧୫୦ କିଲୋମିଟର ଦୂରତାରେ ଏହା ଗତି କରୁଥିବାରୁ ଉପକୂଳିଆ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.