ବାତ୍ୟା ଫନିର ସ୍ଥିତି : ଏବେ ପୁରୀ ଠାରୁ ୫୧୦ କିଲୋମିଟର ଦୂରରେ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ୱର୨|୫: ଆଜି ସକାଳ ୮ଟା ସୁଦ୍ଧା ଫନି ପୁରୀଠାରୁ ୫୧୦ କିଲୋମିଟର ଦୂରରେ ରହିଥିବା ଆଇଏମଡି ସୁତ୍ରରୁ ପ୍ରକାଶ। ଘଣ୍ଟାକୁ ୭ କିଲୋମିଟର ବେଗରେ ଫନି ଓଡିଶା ମୁହାଁ ରହିଛି। ଆସନ୍ତା କାଲି ଅପରାହ୍ନରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ବିଶେଷ କରି ପୁରୀ କିମ୍ୱା ଜଗତସିଂହପୁର ଉପକୂଳରେ ଏହା ହିଟ୍‌ କରିବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଫନି ହିଟ୍‌ କରିବ ତାହା ଆଜି ସନ୍ଧ୍ୟା ୫ଟା ବେଳେ ସ୍ପଷ୍ଟ ହେବ।

ଫନିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ୧୭ଟି ଜିଲ୍ଲାରେ ସରକାର ଆଲର୍ଟ ଜାରି କରିଛନ୍ତି। ଦିନ ୧୨ଟା ପରେ ବିଭିନ୍ନ ପ୍ରଭାବିତ ଜିଲ୍ଲାର ବିପଦ ସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିୁବା ପାଇଁ ନିଷ୍ପତ୍ତି ନିଆଯାଇଛି। ୧୧ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏବଂ ୧୨ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଦ୍ବାୟିତ୍ବରେ ରହିଛନ୍ତି। ପୁରୀ ଓ ଜଗତସିଂହପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଆଜି ଅପରାହ୍ନରେ ଗଞ୍ଜାମ, ଗଜପତି ଆଦି ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହେବା ସହ ପବନର ବେଗ ବୃଦ୍ଧି ପାଇବ। ଆସନ୍ତା କାଲି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ,କଟକ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ତିବ୍ର ବେଗରେ ପବନ ବହିବ। । ବର୍ଷାର ପରିମାଣ ସ୍ଥାନେ ସ୍ଥାନେ ୨୦୫ ମିମି ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ।

ଆଜି ସକାଳୁ ସମଗ୍ର ଉପକୂଳ ଓଡିଶାର ପାଣିପାଗରେ ପରିବର୍ତ୍ତନ ଘଟିଛି। ଅନେକ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହ ଥଣ୍ଡା ପବନ ବହିବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ଆଜି କେନ୍ଦ୍ରରୁ ୨ଟି ହେଲିକାପଟର ପହଞ୍ଚିବ। ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରିଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇସାରିଛି। ପ୍ରଭାବିତ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ପାଇଁ ସରକାର ଘୋଷଣା କରିସାରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.