Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆସୁଛି ‘ୟଶ୍’ : ୨୪ରେ ନେବ ବାତ୍ୟାର ରୂପ, ୨୫ରୁ ଆରମ୍ଭ ହୋଇଯିବ ବର୍ଷା ପବନ

21/05/2021 at 7:26 AM

ଭୁବନେଶ୍ୱର,୨୧/୦୫: ଆସୁଛି ବାତ୍ୟା ୟଶ୍ । ସମ୍ଭାବ୍ୟ ବାତ୍ୟା ‘ୟଶ୍’ କେତେ ଶକ୍ତିଶାଳୀ ରହିବ କି ରୂପ ନେବ, କିଭଳି ପ୍ରକୋପ ଦେଖାଇବ, ଜଣାନାହିଁ । ହେଲେ ବିଭିନ୍ନ ମଡେଲର ପ୍ରାକ୍‌ ଆକଳନ କହୁଛି, ଏହା ବାତ୍ୟା ରୂପ ନେବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ହିଁ ମୁହାଁଇବ ।

ଉତ୍ତର ପୂର୍ବ ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ ଉପକୂଳର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ । ଏପରିକି ଭଦ୍ରକ, ବାଲେଶ୍ୱରରୁ ଦୀଘା ପାଖାପାଖି ସ୍ଥଳଭାଗ ଅତିକ୍ରମ କରିପାରେ । ସ୍ଥଳଭାଗ ଛୁଇଁବା ସମୟ ଓ ସ୍ଥାନ ନିର୍ଦ୍ଦିଷ୍ଟ ନେଇ ଏବେ କହି ହେବନି । ତଥାପି ବର୍ତ୍ତମାନ ସୁଦ୍ଧା ଆକଳନରୁ ଜଣାପଡ଼ିଛି, ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରଭାବ ପକାଇବା ସମ୍ଭାବନା ଅଛି । ବିଶେଷ କରି ଉତ୍ତର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଆଶଙ୍କା ରହିଛି ।୨୫ ତାରିଖ ସନ୍ଧ୍ୟାରୁ ହିଁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳ ଓ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଆସନ୍ତା ୨୨ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଘନୀଭୂତ ହୋଇ ୨୪ ତାରିଖକୁ ବାତ୍ୟା ‘ୟଶ୍’ ରୂପ ନେବ । ଯାହାକି ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ।

ଆଇଏମ୍‌ଡି ରିଜିଓନାଲ ସ୍ପେଶାଲାଇଜଡ ମେଟ୍ରୋଲୋଜିକାଲ ସେଣ୍ଟର ତଥା ସାଇକ୍ଲୋନ ପୂର୍ବାନୁମାନ ବିଭାଗ ମୁଖ୍ୟ ଆର୍‌.କେ.ଜେନାମଣି କହିଛନ୍ତି, ବାତ୍ୟା ରୂପ ନେବା ପରେ ପ୍ରାୟ ଦୁଇଦିନ ଏହା ସମୁଦ୍ର ଭିତରେ ରହିବ । ତେଣୁ ଅଧିକ ଘନୀଭୂତ ହେବ । ହେଲେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ୍‌) କିମ୍ବା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ରୂପ ନେବ, ଏବେ କହି ହେବନି । ୨୨ ତାରିଖ ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।

ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା ୬୦ କିମି ଛୁଇଁପାରେ । ୨୬ ତାରିଖବେଳକୁ ପବନ ଆହୁରି ଶକ୍ତିଶାଳୀ ହୋଇଯିବ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ଉତ୍ତର ବଙ୍ଗୋପସାଗରର ଜଳପତ୍ତନ ତାପମାତ୍ରା ଅଧିକ (୩୦-୩୧ ଡିଗ୍ରୀ) ଥିବାରୁ ସମ୍ଭାବ୍ୟ ବାତ୍ୟା ଖୁବଶୀଘ୍ର ଘନୀଭୂତ ହେବ । ପାରାଦୀପରୁ ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ଅନୁକୂଳ ରହିଛି । ସମ୍ଭାବ୍ୟ ଗତିପଥର ବିଶ୍ଳେଷଣରୁ ଜଣାପଡ଼ିଛି, ଏହା ୨୬ ତାରିଖ ଅପରାହ୍ନରେ ସ୍ଥଳଭାଗ ଛୁଇଁପାରେ । ଦିଗ ପରିବର୍ତ୍ତନ ସମ୍ଭାବନା କମ୍‌ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ବାତ୍ୟା ପାଇଁ ସହାୟକ ହେବ ।

ଡ. ପଶୁପାଳକ କହିଛନ୍ତି, ସାଧାରଣ ଭାବେ ବାତ୍ୟାର ଦକ୍ଷିଣ ଭାଗ ଅଧିକ ଶକ୍ତିଶାଳୀ ରହିଥାଏ । ଯଦି ବି ଏହା ଦୀଘା ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରେ, ତଥାପି ଏହାର ଦକ୍ଷିଣ ପାଶ୍ୱର୍ ଓଡ଼ିଶା ପଟକୁ ଢଳି ରହୁଥିବାରୁ ଓଡ଼ିଶାରେ ବାତ୍ୟା ପ୍ରକୋପ ଅଧିକ ରହିବ । ମୌସୁମୀ ସକ୍ରିୟ ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୫ ଓ ୨୬ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସହ ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁରରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ପୂର୍ଣ୍ଣିମୀ ଦିନ ବାତ୍ୟା ଆସିଲେ ସମୁଦ୍ରରେ ଢେଉ ଅଧିକ ରହିବ । ଯେହେତୁ ଜଗତସିଂହପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ଅଗଭୀର, ତଳୁଆ ଉପକୂଳ ଅଞ୍ଚଳରେ ଜଳ ନିଷ୍କାସନ ଅସୁବିଧା ଯୋଗୁ ବନ୍ୟା ସ୍ଥିତି ଉପୁଜିପାରେ । ଏହି ଅଞ୍ଚଳରେ ଫସଲ ଓ ମତ୍ସ୍ୟ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ଏ ଦିଗରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ।ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ । ଯାହା ଜଣାପଡ଼ୁଛି, ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ । ୨୫ ଓ ୨୬ରେ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା, ପବନ ଅଧିକ ରହିବ । ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ ।

ଏହା ବାତ୍ୟା ଅବସ୍ଥାରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି ।
ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବାତ୍ୟା ମୁକାବିଲା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ସେବା ବାହିନୀ ଅଧିକାରୀ, ଓଡ୍ରାଫ, ଏବଂ ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କୋଭିଡ ସଙ୍କଟ ଥିବାରୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀକୁ ଯେପରି ଠିକ୍‌ ବ୍ୟବସ୍ଥାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ବୟସ୍କ, ଅସୁସ୍ଥ, ଶିଶୁ, ଗର୍ଭବତୀ, ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା ପାଇଁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଯୋଗାଣ ସ୍ୱାଭାବିକ ରହିବାକୁ ଆବଶ୍ୟକ ମୁତାବକ ଜେନେରୋଟ ମହଜୁଦ ରଖିବାକୁ କୁହାଯାଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତ୍ୱରିତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ କେହି ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

   Related Posts