ବାତ୍ୟାର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର ୨୬|୪: କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହାକି ୱେଲମାର୍କରେ ପରିଣତ ହେବା ପରେ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡିପାରେ। ତେବେ ଓଡିଶାରେ ଏହାର ବିଶେଷ ପ୍ରଭାବ ପଡିବନି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଲଘୁଚାପ ଏବେ ସୁଦ୍ଧା ବାତ୍ୟାର ରୂପ ନେଇନି। ଏହା ବାତ୍ୟାର ରୂପ ନେଲେ ଏପ୍ରିଲ ୨୯ରୁ ୩୦ତାରିଖ ଭିତରେ ତାମିଲନାଡୁ ଉପକୂଳରେ ବର୍ଷା ହେବ। ଯଦି ଏହା ପଶ୍ଚିମ ଦିଗରେ ଗତି କରିବ ତେବେ ତାମିଲନାଡୁରେ ମାଡ ହେବ। ଉତ୍ତର ପଶ୍ଚିମ ଦିଗରେ ଗତି କଲେ ବାତ୍ୟାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପଡିବ । ତାମିଲନାଡୁରେ ବାତ୍ୟା ମାଡ ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବାର ନାହିଁ। କିନ୍ତୁ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁଲେ ବାତ୍ୟା ପ୍ରଭାବରେ ମେ ୪ତାରିଖରେ ଦକ୍ଷିଣ ଓଡିଶା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ।

ରାଜ୍ୟରେ ଏବେ ପାରଦ ଉପରମୁହାଁ । ୪ ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ ସତର୍କତା ଜାରି ହୋଇଛି । ସେହି ଜିଲ୍ଲାଗୁଡିକ ହେଲା ବଲାଙ୍ଗିର, ବରଗଡ, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ୧୧ ସହରର ପାରଦ ୪୦ ଡିଗ୍ରୀ ସେଲସିଅସ୍ ଅତିକ୍ରମ କରିଛି । ଏଥି ମଧ୍ୟରୁ ୪୨ ଡିଗ୍ରୀ ଉପରେ ଥିଲା ୪ ସହରର ତାପମାତ୍ରା । ଟିଟିଲାଗଡ ଥିଲା ରାଜ୍ୟର ସବୁଠି ଉତ୍ତପ୍ତ ସହର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.