Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ‘ବାୟୁ’ ; ହାଇଆଲର୍ଟ ଜାରି, ଏନଡିଆରଏଫ ଓ ସେନା ସଜାଗ

12/06/2019 at 9:42 AM

ନୂଆଦିଲ୍ଲୀ ୧୨|୬: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ । ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ସାମୁଦ୍ରିକ ଝଡ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ। ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବର୍ଷା ଓ ପବନ ଲାଗି ରହିବ।

ଏହି ସାମୁଦ୍ରିକ ଝଡକୁ ନେଇ ଗୁଜରାଟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏନଡିଆରଏଫ ମୁତୟନ କରାଯାଇଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଜୁଳି, ଟେଲିଯୋଗାଯୋଗ, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବାକୁ ନିଶ୍ଚିତ କରିବାକୁ କୁହାଯାଇଛି।

ସେହିପରି ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ସେନା ଓ ବାୟୁସେନାର ଟିମ୍ କୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟାକୁ ମୁକାବିଲା କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

   Related Posts