ରାଜଧାନୀରେ ରବି ଓ ସୋମବାର ଟିକାକରଣ ବନ୍ଦ, ବାତ୍ୟାକୁ ଆଖି ଆଗରେ ରଖି ବିଏମସିର ନିଷ୍ପତ୍ତି

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର,୨୬/୦୯: ସମ୍ଭାବ୍ୟ ବାତ୍ୟା ଗୁଲ୍‌-ଆବ୍‌ ପାଇଁ ରାଜଧାନୀରେ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଟିକାକରଣ ବନ୍ଦ ରହିବ । ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେଣୁ ଟିକାକରଣ କେନ୍ଦ୍ରକୁ ନ ଆସିବା ପାଇଁ ବିଏମ୍‌ସି ଲୋକମାନଙ୍କୁ ପରାମର୍ଶ ଦେଇଛି । ତେବେ ମଙ୍ଗଳବାର ଅର୍ଥାତ୍ ୨୮ ତାରିଖରୁ ପୁଣି ଟିକାକରଣ ପ୍ରକିୟା ଆରମ୍ଭ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍ ଯୋଗ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା 'ଗୁଲାବ' ଘଣ୍ଟା ପ୍ରତି ୭ କିମି ବେଗରେ ସ୍ଥଳଭାଗକୁ ଗତି କରୁଛି।ଏହା ଅପରାହ୍ନ ୧୨ଟାରୁ ୩ଟା ମଧ୍ୟରେ ଗୋପାଳପୁରର ଦକ୍ଷିଣ ଏବଂ କଳିଙ୍ଗପଟନମର ଉତ୍ତରରେ ସ୍ଥଳଭାଗ ଅତିକ୍ରମ କରିବ ।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫କିଲୋମିଟର ରହିବ । ପବନର ଗଷ୍ଟିଙ୍ଗ ବେଗ ଘଣ୍ଟାପ୍ରତି ସର୍ବାଧିକ ୯୫ କିଲୋମିଟର ହୋଇପାରେ । ଲ୍ୟାଣ୍ଡଫଲ ସମୟରେ ଶ୍ରୀକାକୁଲମ ବିଜୟନଗରମ୍ ଏବଂ ଗଞ୍ଜାମ ଉପକୂଳରେ ସମୁଦ୍ର ଜୁଆରିଆ ରହିବ । ସମୁଦ୍ର ଢେଉ ଅଧମିଟର ପର୍ଯ୍ୟନ୍ତ ଉଠିବ । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ସମ୍ଭାବିତ ବାତ୍ୟା ନେଇ ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ସତର୍କ ସୂଚନା ଜାରି କରିଛି । ଗଞ୍ଜାମ ଏବଂ ଗଜପତି ପାଇଁ ପ୍ରବଳ ବର୍ଷା ନେଇ ସର୍ବାଧିକ ଆଲର୍ଟ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.