ତିତଲି କଲାଣି ଛାନିଆ : ଟ୍ରେନ ଚଳାଚଳ ପ୍ରଭାବିତ, ବିମାନସେବା ବନ୍ଦ, ରେଲୱେ ଗ୍ରୁପ-ଡି ପ୍ରରୀକ୍ଷା ହେଲା ବାତିଲ…
10/10/2018 at 7:14 PM

ଭୁବନେଶ୍ବର୧୦|୧୦: ତିତଲି କଲାଣି ଛାନିଆ । ସମୁଦ୍ର ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ତିତଲି ଏବେ ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ । ଆସନ୍ତାକାଲି ସକାଳ ସାଢେ ୫ଟାରେ ଏହା ଗୋପାଳପୁର ଓ କଳିଙ୍ଗପଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହୁଛି । ଅପରାହ୍ନ ସୁଦ୍ଧା ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ୍ ଅନୁୟାୟୀ, ତିତଲି ଏବେ ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୨୬୦ ଏବଂ କଳିଙ୍ଗପଟ୍ଟନମ୍ ଠାରୁ ୨୨୦ କିଲୋମିଟର ଦୂରରେ ଅଛି । ସମୁଦ୍ର ମଧ୍ୟରେ ତାର ଘଣ୍ଟା ପ୍ରତି ବେଗ ରହିଛି ୧୮ କିଲୋମିଟର ।
ଭୀଷଣ ବାତ୍ୟାକୁ ନଜରରେ ରଖି ଭୁବନେଶ୍ବରକୁ ସବୁ ବିମାନ ଉଡାଣ ବାତିଲ କରାଯାଇଛି । ଖୋର୍ଦ୍ଧାରୋଡ ଓ ବିଜୟନଗରମ ମଧ୍ୟରେ ମଧ୍ୟ ସବୁ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି କିଛି ଟ୍ରେନର ଗତିପଥ ବଦଳାଯାଇଛି । ହୀରାଖଣ୍ଡ ଓ ଫଲକନୁମା ସୁପରଫାଷ୍ଟ ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଚଳାଚଳ କରିବ। ୧୧ତାରିଖ ଓ ୧୨ ତାରିଖରେ ହେବାକୁ ଥିବା ରେଲୱେ ଗ୍ରୁପ ଡି ପରୀକ୍ଷା ବାତିଲ କରାଯାଇଛି। ପରୀକ୍ଷାର୍ଥୀଙ୍କୁ ପରବର୍ତ୍ତୀ ପରୀକ୍ଷା ତାରିଖ ସମ୍ପର୍କରେ ମୋବାଇଲରେ ମେସେଜ ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳବାଇ ପକ୍ଷରୁ ହେଲପ ଲାଇନ ନମ୍ବର ମଧ୍ୟ ଜାରି ହୋଇଛି । ରେଲଓ୍ବେ ଜାରି କରିଥିବା ହେଲ୍ପଲାଇନ୍ ନମ୍ବର ହେଲା ୦୬୭୪-୨୩୦୧୫୨୫, ୨୩୦୧୬୨୫
ବାତ୍ୟା ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରି ଆଶଂକା ରହିଛି । ସେଥିପାଇଁ ସରକାର କଡା ନିର୍ଦ୍ଦେଶ ଜାରି କରିଛନ୍ତି । କଳା ବଜାରୀ ସମ୍ପର୍କରେ ଖବର ପାଇବା ମାତ୍ରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ୨୪ ଘଣ୍ଟାରେ ୩ଟି ସ୍ଥିତିକୁ ରୂପାନ୍ତରିତ ହୋଇଛି ତିତଲି । ଡିପ୍ ଡିପ୍ରେସନରୁ ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ତା ପରେ ସିଭିଅର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି ତିତଲି । ତିତଲି ବର୍ତ୍ତମାନ କାଟାଗୋରି-୧ ତୋଫାନ୍ ପାଖାପାଖି ଥିବା ବେଳେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ଅତିବେଶୀରେ ୧୬୫ କିଲୋମିଟର ରହିପାରେ । ଯଦି ତାଠାରୁ ବଢ଼ିଲା, ତେବେ କାଟାଗୋରି-୨ ତୋଫାନକୁ ରୂପାନ୍ତରିତ ହୋଇଯିବା ସମ୍ଭାବନା ରହୁଛି ।
ବୁଧବାର ଦିନ ସାଢେ ୧୧ଟାରୁ ଅତି ଭୀଷଣ ବାତ୍ୟାର ରୂପ ନେଇ ସାରିଛି ତିତଲି । ଯାହା ଗୁରୁବାର ସକାଳ ସାଢ଼େ ୫ଟା ଯାଏଁ ବଳବତ୍ତର ରହିବ । ତେବେ ଲ୍ୟାଣ୍ଡଫଲ୍ ପରେ ପବନର ବେଗ ଶହେ କିଲୋମିଟରକୁ କମିଯିବ । ବେଶୀ ସମୟ ସ୍ଥଳଭାଗରେ ନରହି, ତାହା ବୁଲି ଯିବାର ସମ୍ଭାବନା ରହୁଛି । ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଏହା ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହୁଛି । ଗୁରୁବାର ରାତି ସାଢେ ୧୧ଟା ପରେ ତାହା ପୁଣି ବାତ୍ୟା ସ୍ଥିତିକୁ ଫେରିଯିବ । ଶୁକ୍ରବାର ଦିନ ସାଢେ ୧୧ଟାରୁ ଭୀଷଣ ଅବପାତର ରୂପ ନେବ । ଆଉ ରାତି ସାଢେ ୧୧ ପରେ ପୁଣି ଅବପାତକୁ ଫେରିଯିବ । ଭୀଷଣ ଅବପାତ ଓ ଅବପାତ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ତିତଲି ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଗୁରୁବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଉ ଶୁକ୍ରବାର ବେଳକୁ ବର୍ଷାର ପରିମାଣ କମିଯିବ ।