ତିତିଲି ଏବେ ଗୋପାଳପୁରଠାରୁ ୧୭୦ କିଲୋମିଟର ଦୂରରେ, ରାତି ପାହିବାବେଳକୁ ଛୁଇଁଥିବ ସ୍ଥଳଭାଗ, ସତର୍କତା ପାଇଁ ପରାମର୍ଶ

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର୧୦|୧୦: ତିତଲି କଲାଣି ଛାନିଆ । ସମୁଦ୍ର ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ତିତଲି ଏବେ ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ । ଆସନ୍ତାକାଲି ସକାଳ ସାଢେ ୫ଟାରେ ଏହା ଗୋପାଳପୁର ଓ କଳିଙ୍ଗପଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହୁଛି । ତିତଲି ଏବେ ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ ଅଛି । ବର୍ତ୍ତମାନ ତିତଲି ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଛି । ଗତ ୨୪ ଘଣ୍ଟାରେ ୩ଟି ସ୍ଥିତିକୁ ରୂପାନ୍ତରିତ ହୋଇଛି ତିତଲି । ଡିପ୍ ଡିପ୍ରେସନରୁ ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ତା ପରେ ସିଭିଅର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଛି ତିତଲି । ତିତଲି ବର୍ତ୍ତମାନ କାଟାଗୋରି-୧ ତୋଫାନ୍ ପାଖାପାଖି ଥିବା ବେଳେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ଅତିବେଶୀରେ ୧୬୫ କିଲୋମିଟର ରହିପାରେ । ଯଦି ତାଠାରୁ ବଢ଼ିଲା, ତେବେ କାଟାଗୋରି-୨ ତୋଫାନକୁ ରୂପାନ୍ତରିତ ହୋଇଯିବା ସମ୍ଭାବନା ରହୁଛି । ତେବେ ଲ୍ୟାଣ୍ଡଫଲ୍ ପରେ ପବନର ବେଗ ଶହେ କିଲୋମିଟରକୁ କମିଯିବ । ବେଶୀ ସମୟ ସ୍ଥଳଭାଗରେ ନରହି, ତାହା ବୁଲି ଯିବାର ସମ୍ଭାବନା ରହୁଛି । ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଏହା ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହୁଛି । ଗୁରୁବାର ରାତି ସାଢେ ୧୧ଟା ପରେ ତାହା ପୁଣି ବାତ୍ୟା ସ୍ଥିତିକୁ ଫେରିଯିବ । ଶୁକ୍ରବାର ଦିନ ସାଢେ ୧୧ଟାରୁ ଭୀଷଣ ଅବପାତର ରୂପ ନେବ । ଆଉ ତାରି ସାଢେ ୧୧ ପରେ ପୁଣି ଅବପାତକୁ ଫେରିଯିବ । ଭୀଷଣ ଅବପାତ ଓ ଅବପାତ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତିତଲି ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଗୁରୁବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଉ ଶୁକ୍ରବାର ବେଳକୁ ବର୍ଷାର ପରିମାଣ କମିଯିବ । ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ୱାର୍ଣ୍ଣିଂ ଜାରି କରିଛନ୍ତି ରାଜ୍ୟ ସରକାର ।  ତେବେ ଗତକାଲି ଠାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ୫ଟି ଜିଲ୍ଲା ପାଇଁ ଜାରି ହୋଇଥିବା ରେଡ୍ ୱାର୍ଣ୍ଣିଂ ବଳବତ୍ତର ରହିଛି । ପ୍ରବଳ ବର୍ଷା ଯୋଗୁଁ ରୁଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ସ୍ଥିତି ଉପୁଜିବା ସମ୍ଭାବନା ରହିଛି ।  ଜଳସମ୍ପଦ ବିଭାଗ, କେନ୍ଦୁଝର ଜିଲ୍ଲାରେ ସାଳନ୍ଦୀ ଡ୍ୟାମର ୪ଟି ଗେଟ୍ ଖୋଲି ଦେଇଥିବା ବେଳେ ଉପକୂଳ ଜିଲ୍ଲାରେ ବନ୍ୟା ଜଳ ନିଷ୍କାସନ ପାଇଁ ତତ୍ପର ହୋଇଛି ।

 

ଯଦିଓ ତିତଲି ଭେରି ସିଭିୟର ସାକ୍ଲୋନିକ ଷ୍ଟର୍ମର ରୂପ ନେଇଛି ତେବେ ଏହା ଯୋଗୁଁ କ୍ଷୟକ୍ଷତି କିଭଳି ସର୍ବନିମ୍ନ କରାଯିବ, କେମିତି କାଜୁଆଲଟି ଜିରୋ କରାଯିବ ସେନେଇ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି। ରାଜ୍ୟର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ….. ପୂର୍ବରୁ  ହୁଡ ଡୁଡ ଏବଂ ଫାଇଲିନର ମୁକାବିଲା ସଫଳତାର ସହ କରି ସାବାସି ସାଉଁଟିଛନ୍ତି ରାଜ୍ୟ ସରକାରଜିରୋ କାଜୁଆଲଟି ପାଇଁ ସମସ୍ତ ପ୍ରସ୍ତୁତି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତିତଲି   ମୁକାବିଲା କରିବାକୁ ବାୟୁସେନା ଓ ନୌସେନାକୁ  ଅବଗତ କରିଛନ୍ତି ରାଜ୍ୟ  ସରକାର।  ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି  ୧୧ ଓ ୧୨ ତାରିଖରେ ରାଜ୍ୟ​‌ରେ ସମସ୍ତ   ସ୍କୁଲ କଲେଜ  ଛୁଟି କରିଦିଆଯାଇଛି। ସେହିପରି​‌  ଛାତ୍ର ସଂସଦ ନିର୍ବାଚନକୁ  ବାତିଲ କରିଦିଆଯାଇଛି ବୋଲି କହିଛନ୍ତି ସ୍ବତନ୍ତ ରିଲିଫ କମିଶିନର ତଥା  ଉଚ୍ଚଶିକ୍ଷା ବିଭାଗ  ସଚିବ । ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ତୁହାକୁ ତୁହା ସଚିବାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି । ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପୋଲିସ ବାହିନୀ ସଜାଗ ରହିଛି। ବାତ୍ୟା  କ୍ଷତିଗ୍ରସ୍ତ  ଇଲାକାରେ ଲୋକଙ୍କ   ଉତ୍ତମ   ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ମେଡିକାଲ ଟିମକୁ ଆଲର୍ଟ କରାଯାଇଛି।  ଜିଲ୍ଲା ପ୍ରଶାସନ  ସହ ମେଡିକାଲ ଟିମ  ସମନ୍ବୟ ରଖିବା ସହ ଆବଶ୍ୟକ  ମୁତାବକ ଓୗଷଧ ମହଜୁତ ରଖିବାକୁ   ପରାମର୍ଶ ଦିଆଯାଇଥିବା କହିଛନ୍ତି  ସ୍ବାସ୍ଥ୍ୟମନ୍ତ୍ରୀ। ଉପକୂଳ ଜିଲ୍ଲାଗୁଡିକରେ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଯାଇ ପହଞ୍ଚିଛନ୍ତି। ଉପକୂଳ ଜିଲ୍ଲାରେ ବନ୍ୟା ଅଶାଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏହିସବୁ ଜିଲ୍ଲାରେ ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଥିବାବେଳ   ଛୁଟିରେ ଥିବା କର୍ମଚାରୀ   ତୁରନ୍ତ କାମରେ ଯୋଗଦେବାକୁ  ନିଦେଁଶ ଦିଅଆଯାଇଛି।- ସମୁଦ୍ର ତଟବର୍ତ୍ତୀ  ୬ଟି ଜିଲ୍ଲାରେ ୧୦ ଟି ଏନଡିଆରଏଫ, ୮ ଟି    ଓଡ୍ରାଫ ଟିମ କୁ  ମୁତୟନ କରାଯାଇଛି।   ୮୩୬ ଟି ବାତ୍ୟା  ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରାଖାଯାଇଛି। ବାୟୁସେନା ଓ ନୌସେନକୁ ଅବଗତ କରାଯାଇଛି। ଯେକୌଣସି ସମୟରେ ଏମାନଙ୍କ ସାହାଯ୍ୟ ନିଆଯାଇପାରେ। ବାତ୍ୟା ପାଇଁ ସତର୍କତାମୂଳକ ପଦକ୍ଷେପ ହିସାବରେ ପୂର୍ବତଟ ରେଳବାଇ ରାତି ୧୦ଟାରୁ କିଛି ଟ୍ରେନକୁ ବନ୍ଦ କରିଦେଇଛି। କିଛି ଟ୍ରେନର ଗତିପଥ ବଦଳାଯାଇଛି। ହୀରାଖଣ୍ଡ ଏକ୍ସପ୍ରେସ ଯାହା ଭୁବନେଶ୍ବରରୁ ଆଜି ସଂଧ୍ୟା ରେ ଛାଡିଛି ତାର ଗତିପଥ ବଦଳାଯାଇଛି। ଏବେ ହୀରାଖଣ୍ଡ ଏକ୍ସପ୍ରେସ ଯିବ ଭାୟା ସମ୍ବଲପୁର,ଟିଟଲାଗଡ ରାୟଗଡ଼ା ଦେଇ ପହଞ୍ଚିବ ଜଗଦଲପୁର। ସେହିଭଳି ହାୱାଡା –ସିକନ୍ଦରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସର ମଧ୍ୟ ଗତିପଥ ବଦଳାଯାଇଛି। ଭୁବନେଶ୍ବରରେ ପହଞ୍ଚିବା ପରେ ଏକ୍ସପ୍ରେସ ତାର ଗତିପଥ ବଦଳାଇ ଭାୟା ସମ୍ବଲପୁର ଟିଟଲାଗଡ ଓ ବିଜୟନଗରମ ଦେଇ ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ।  ରେଲଓ୍ବେ ଜାରି କରିଥିବା ହେଲ୍ପଲାଇନ୍‌ ନମ୍ବର ହେଲା ୦୬୭୪-୨୩୦୧୫୨୫, ୨୩୦୧୬୨୫ । ସେହିଭଲି ଭୁବନେଶ୍ବରକୁ ଚଲାଚଳ କରୁଥିବା ସମସ୍ତ ଇଣ୍ଡିଗୋ ବିମାନ ଚଳାଚଳ ବାତିଲ କରାଯାଇଛି। ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦର ରେ କୌଣସି ବିମାନକୁ ରାତ୍ରୀକାଳିନ ପାର୍କିଂ ନକରିବାକୁ ନିଷ୍ପତ୍ତି ହୋଇଛି । ଇଏ ତ ସରକାର କଣ ପ୍ରସ୍ତୁତି କରିଛନ୍ତି। କିନ୍ତୁ ଲୋକେ ନିଜ ଆଡୁ ପ୍ରସ୍ତୁତ ରହି ଉଚିତ। ବାତ୍ୟା ସମୟରେ ଆପଣ କେଉଁ କେଉଁ ବିଷୟ ପ୍ରତି ସତର୍କ ରହିବା ଉଚିତ ଆସନ୍ତୁ ନଜର ପକାଇବା। ….. ତିତଲି ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ହୋଇ ଉପକୂଳ ମୁହାଁ ହେଉଥିବା ବେଳେ ଲୋକେ ନିଜେ ପ୍ରସ୍ତୁତ ରହିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା। ବାତ୍ୟା ରାତିରେ ପ୍ରଥମେ ସୁରକ୍ଷିତ ସ୍ଥାନରେ ରହୁନ୍ତୁ। କଚା ଚାଳଘର ଅପେକ୍ଷା କୋଠାଘର କିମ୍ବା ଆଶ୍ରୟ ସ୍ଥଳୀରେ ରହୁନ୍ତୁ।  ଅଧିକାରୀଙ୍କ ପରବର୍ତୀ ସୂଚନା ପରେ ସେଠାରୁ ବାହାରି ନିଜ ଘରକୁ ଯିବା ଉଚିତ । ଯଦି ଘର ଭିତରେ ଅଛନ୍ତି ତେବେ ଘରର କବାଟ, ଝରକା ଭଲ ଭାବରେ ବନ୍ଦ କରି ଦିଅନ୍ତୁ । ବୈଦ୍ୟୁତିକ ଉପକରଣ ଗୁଡିକ ବନ୍ଦ କରିଦିଅନ୍ତୁ ।ଘର ଯଦି ସୁରକ୍ଷିତ ନାହିଁ ତେବେ ବାତ୍ୟା ଆସିବା ପୂର୍ବରୁ ଘର ଛାଡନ୍ତୁ । ଭଙ୍ଗା ବା ଅସୁରକ୍ଷିତ ଘରେ ଆଶ୍ରୟ ନିଅନ୍ତୁ ନାହିଁ । ରେଡିଓ ଓ ଟିଭିରେ ଲଗାତର ବାତ୍ୟାର ଖବର ରଖନ୍ତୁ ।ବାତ୍ୟା ପରେ ବନ୍ୟା ହେବା ଅଧିକ ସମ୍ଭାବନା ରହିଛି । ଏହି ସମୟରେ ଉଚ୍ଚ ସ୍ଥାନରେ ସୁରକ୍ଷିତ ରହିବା ଆବଶ୍ୟକ । କାରଣ ବନ୍ୟା ଜଳ ବଢିବା ଆଶଙ୍କା ରହିଥାଏ । ଅଧିକ ପବନ ବହିବା ଯୋଗୁଁ ବିଦ୍ୟୁତ ତାର ଛିଡି ପଡିଥାଏ । ତାର ଛିଡିପଡିଥିବା ସ୍ଥାନ ଓ ଗଛ ଉପୁଡିଥିବା ଜାଗାରୁ ଦୂରେଇ ରହନ୍ତୁ ।ସିଝା ପାଣି ବା କ୍ଲୋରିନ ମିଶା ପାଣି ପିଅନ୍ତୁ ।କେବଳ ସରକାରୀ ସୂଚନା ଉପରେ ବିଶ୍ବାସ ରଖନ୍ତୁ ।  ଅଧିକ ଭୟଭୀତ ହୁଅନ୍ତୁ ନାହିଁ , ଅଯଥା ଗୁଜବଠାରୁ ଦୁରେଇ ରୁହନ୍ତୁ । ନିଜ ମୋବାଇଲ ଫୋନରେ ଯଥେଷ୍ଟ ଚାର୍ଜ ରଖନ୍ତୁ , ଦରକାର ହେଲେ କଲ୍ ପରିବର୍ତ୍ତେ ଏସଏମଏସରେ କାମ ଚଳାନ୍ତୁ । ଦରକାରୀ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀକୁ ପାଣିରୁ ଦୂରେଇ ରଖନ୍ତୁ । ସମସ୍ତ ଦରକାରୀ ଜିନିଷ ରଖି ନିଜର ଏକ ଏମର୍ଜେନସି କିଟ୍ ପ୍ରସ୍ତୁତ ରଖନ୍ତୁ । ଘରେ କିମ୍ବା ବାହାରେ କୌଣସି ଧାରୁଆ ଜିନିଷ ରଖନ୍ତୁ ନାହିଁ କିମ୍ବା ଘରର ମରାମତି କାର୍ଯ୍ୟ କରନ୍ତୁ ନାହିଁ।ଗୃହପାଳିତ ପଶୁଙ୍କୁ ନ ବାନ୍ଧି ଖୋଲା ଛାଡି ଦିଅନ୍ତୁ । ଗଛ ତଳେ କାର କିମ୍ବା ଗାଡି ରଖନ୍ତୁ ନାହିଁ । ଘରେ ଆବଶ୍ୟକ ଅନୁଯାୟୀ ଖାଇବା ଜିନିଷ ମହଜୁଦ ରଖନ୍ତୁ । ମହମବତୀ, ଦିଆସିଲି ,ଟର୍ଚ, ରେଡିଓ, ବ୍ୟାଟେରୀ, ପ୍ରାଥମିକ ଚିକିତ୍ସା ଉପକରଣ ପାଖରେ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.