ମାଡିଆସୁଛି ସାମୁଦ୍ରିକ ଝଡ ‘ତଉକ୍‌ତେ’ : ୧୪ରେ ନେବ ବାତ୍ୟାର ରୂପ, ୧୬ରେ ଛୁଇଁବ ସ୍ଥଳଭାଗ !

Published By : Prameya-News7 Bureau | May 11, 2021 IST

ନୂଆଦିଲ୍ଲୀ ୧୧/୦୫ : ମାଡିଆସୁଛି ମହାବାତ୍ୟା । ୨୦୨୧ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ ଏବଂ ମେ ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଯଦି ଦେଖାଯାଏ ତେବେ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ । ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ସାମୁଦ୍ରିକ ଝଡର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ପ୍ରଭାବରେ ଏହି ସବୁ ରାଜ୍ୟଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି । ତେବେ ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ରହିବ କି ରହିବାର ସମ୍ଭବନା ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ତେବେ ଆଗାମୀ ଦିନେ ୨ ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ।

ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡ ଲଘୁଚାପରେ ପରିଣତ ହେବା ଆଶଙ୍କା ରହିଛି । ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଲାକ୍ଷାଦ୍ବୀପରୁ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରିବାର ସମ୍ଭାବନା ରହିଛି । ପରେ ମେ ୧୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ଭାବିତ ବାତ୍ୟାକୁ ନଜରରେ ରଖି ସମୁଦ୍ରକୂଳବର୍ତ୍ତୀ ରାଜ୍ୟଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଶୁକ୍ରବାର ଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଆଯାଇଛି । ଏହା ସହିତ ପୂର୍ବରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବୁଧବାର ସୁଦ୍ଧା ତୁରନ୍ତ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ଠାରୁ ଲାକ୍ଷାଦ୍ବୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ୬୦ର ୮୦ କିମି ଯାଏଁ ପବନ ବହିପାରେ । କେରଳ, ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କୂଳବର୍ତ୍ତୀ ଅୟ୍ଚଳଗୁଡିକରେ ରବିବାର ଯାଏଁ ପବନ ବହିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.