ଭୟଙ୍କର ରୂପ ନେଉଛି ସାମୁଦ୍ରିକ ବାତ୍ୟା ତଉକ୍‌ତେ, ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି, ତିନି ଦିନ ଧରି ଲାଗି ରହିବ ପ୍ରବଳ ବର୍ଷା

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫।୦୫: ଆରବ ସାଗରରେ ସୃଷ୍ଟ ଲଘୁଚାପ ତଉକ୍‌ତେ ଅଧିକ ଘନୀଭୂତ ହୋଇ ବ୍ୟାତାର ରୂପ ନେଇ ସାରିଛି। ଏହା ଆଗାମୀ ୧୨ ଘଣ୍ଟାରେ ଭୟଙ୍କର ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦-୧୬୦ରୁ ୧୭୫ ରହିବାର ଅନୁମାନ କରାଯାଇଛି। ବାତ୍ୟା ତଉକତେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି।

ସାମୁଦ୍ରିକ ବାତ୍ୟା ତଉକତେ କାରଣରୁ କେରଳର କୋଝିକୋଡରେ ଶନିବାର ପ୍ରବଳ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ କୋଝିକୋଡ ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି। ସାମୁଦ୍ରିକ ଝଡ ଉତ୍ତର-ଉତ୍ତର ପୂର୍ବ ଅଭିମୁଖେ ଆଗକୁ ବଢୁଛି। ପୁଣି ଉତ୍ତର-ଉତ୍ତର-ପଶ୍ଚିମ ଅଭିମୁଖେ ବଢି ମେ ୧୮ରେ ସକାଳେ ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ସାମୁଦ୍ରିକ ବାତ୍ୟା ପଶ୍ଚିମ ଉପକୂଳରୁ ୨୫୦ କିଲୋମିଟର ଦୂରରେ ରହିଛି।

{"id":452853,"sizeSlug":"large","linkDestination":"none"}

ପାଣିପାଗ ବିଭାଗ ଅନୁଯାୟୀ, ଶନିବାର, ରବିବାର ଓ ସୋମବାର କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେରଳର ନଅ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ କେରଳର ଇଡୁକ୍କି ଜିଲ୍ଲାରେ ଅନେକ ବଡ ଗଛ ଉପୁଡି ପଡିଛି। ଏଥିରେ ଅନେକ ଘର ଭାଙ୍ଗିବା ସହିତ ରାସ୍ତା ମଧ୍ୟ ଭୁଷୁଡି ପଡିଛି। ଇଡୁକ୍କି ଜିଲ୍ଲାର ମୁନ୍ନାର ଓ ଭଟ୍ଟାଭାଡା ରାସ୍ତାରେ ଗଛ ପଡି ବନ୍ଦ ଥିବାରୁ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଭୁଷୁଡିବା ସହ ରାଜ୍ୟ ଉପକୂଳବର୍ତ୍ତୀ ଗାଁ ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହେବା ସହ କଶାରଗୁଡାରେ ଭୟଙ୍କର ତାଣ୍ଡବ ରଚିଛି ବର୍ଷା।

ଏହା ବ୍ୟତୀତ ମୁମ୍ବାଇ, ଦକ୍ଷିଣ କୋଙ୍କଣ କ୍ଷେତ୍ରର ରାୟଗଢ, ରତ୍ନଗିରି ଓ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲା, ଗୋଆ ଓ ଗୁଜରାଟର କିଛି ଅଞ୍ଚଳରେ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବ। ବାତ୍ୟା ପ୍ରଭାବରେ ଗୁଜରାଟରେ ମେ ୧୭ରେ ପ୍ରବଳ ବର୍ଷା ହୋଇପାରେ। କଚ୍ଛ ଓ ସୌରାଷ୍ଟ୍ରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି।

ଆରବ ସାଗରରେ ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଶୀଘ୍ର କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ, ଭାରତୀୟ ନୌସେନା ଓ ଅନ୍ୟ ଏଜେନ୍ସିକୁ ବାତ୍ୟାର ମୁକାବିଲା ପାଇଁ ସଜାଗ ରଖାଯାଇଛି। ଏନଡିଆରଏଫର ୫୩ ଦଳକୁ ସଜାଗ ରଖାଯାଇଛି। ଶନିବାର ସକାଳେ ଓଡିଶାର କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଥାର୍ଡ ବାଟାଲିୟନର ୫ ଟି ଦଳ ଭୁବନେଶ୍ଵରରୁ  ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।

ଏନଡିଆରଏଫର ୫୩ ଦଳ ମଧ୍ୟରୁ ୨୪ ଦଳକୁ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳକୁ ପଠାଯାଇଛି। ବାକି ଦଳକୁ ସଜାଗ ରଖାଯାଇଛି। ପ୍ରତିଟି ଦଳରେ ୪୦ ସଦସ୍ୟ ରହିଛନ୍ତି। ଅଲଗା ଅଲଗା ସମୁଦ୍ରକୂଳରେ ପ୍ରାୟ ୧୦୦ ଲାଇଫଗାର୍ଡକୁ ମୁତୟନ କରାଯାଇଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.