ଓଡିଶାରେ ହେବ କି ବାତ୍ୟା ? କ'ଣ କହିଲେ ପାଣିପାଗ ବିଶେଷଜ୍ଞ ଓ ଆଇଏମଡି

Published By : Prameya-News7 Bureau | May 04, 2021 IST

ଭୁବନେଶ୍ୱର, ୦୪।୦୫: ବାତ୍ୟା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ କୌଣସି ବାତ୍ୟା ଆଶଙ୍କା ନାହିଁ । ଅର୍ଥାତ ଓଡ଼ିଶାରେ ବାତ୍ୟା ହେବା ନେଇ କୌଣସି ସମ୍ଭାବନା ନାହିଁ । ଆଇଏମ୍‌ଡି ସମେତ ଭାରତର ବିଶିଷ୍ଟ ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ତେଣୁ ବିଦେଶୀ ପାଣିପାଗ ସଂସ୍ଥାର ପୂର୍ବାନୁମାନକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ହେଉଥିବା ଚର୍ଚ୍ଚାରେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ ।

ଗତ ଦୁଇଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ କୁହାଯାଉଛି, ଗ୍ଲୋବାଲ୍‌ ଫୋରକାଷ୍ଟ ସିଷ୍ଟମ (ଜିଏଫ୍‌ଏସ୍‌) ମଡେଲ୍‌ ପୂର୍ବାନୁମାନ କରିଛି ଯେ ଆସନ୍ତା ୧୩ ତାରିଖ ବେଳକୁ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ବାତ୍ୟା ଆସିପାରେ । ମାତ୍ର ଭାରତର ସମସ୍ତ ପାଣିପାଗ ସଂସ୍ଥା ଓ ବିଶେଷଜ୍ଞମାନେ ଏଭଳି ଆକଳନକୁ ଖଣ୍ଡନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇନି । ଯଦି ସେମିତି ସମ୍ଭାବନା ଥାଆନ୍ତା, ତେବେ ଆଇଏମ୍‌ଡି ନିଶ୍ଚିତ ସୂଚନା ଦେଇଥାନ୍ତା । ବର୍ତ୍ତମାନ ଏଭଳି କୌଣସି ବାତ୍ୟା ଆଶଙ୍କା ନଥିବା ସେ ସୂଚାଇ ଦେଇଛନ୍ତି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୭/୮ ତାରିଖବେଳକୁ ଆଣ୍ଡାମାନ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ବିଶେଷ ଘନୀଭୂତ ହେବନି । ଯଦି ବି ହୁଏ, ତେବେ ଅତି ବେଶିରେ ୧୦ ତାରିଖବେଳକୁ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ଏହା ମିଆଁମାର ଆଡ଼କୁ ଗତି କରିବ । ତେଣୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ । ବାତ୍ୟା ତ ଦୂର କଥା, ଏହା ଓଡ଼ିଶାରେ ଲଘୁଚାପ ବର୍ଷା ବି କରାଇବା ସମ୍ଭାବନା ନାହିଁ । ତେବେ ଏଥିଯୋଗୁ ସାମୁଦ୍ରିକ ରାଜ୍ୟକୁ ପବନ ପ୍ରବାହ କମିଯିବ । ୧୦ କିମ୍ବା ୧୧ ତାରିଖରୁ ଓଡ଼ିଶାରେ ପୁଣି ତାତି ବଢ଼ିଯିବ । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜାଗାରେ ୪୦ ଡିଗ୍ରୀ ଉପରେ ରହିବ । କେତେକ ଜାଗାରେ କାଳବୈଶାଖୀ ହେବ ।

କୃଷି ପାଣିପାଗ ବିଶେଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ରହିଛି । ହେଲେ ଏହା ଉପରେ ବିଭିନ୍ନ ମଡେଲର ସହମତି ନାହିଁ । ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୮ କିମ୍ବା ୯ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ଏହାର କେନ୍ଦ୍ର ଅସଙ୍ଗଠିତ ରହିବା ଯୋଗୁ ଅଧିକ ଘନୀଭୂତ ହେବା ସମ୍ଭାବନା କମ୍‌ । ସମ୍ଭବତଃ ଏହା ଅବପାତ ହୋଇପାରେ । ଏହା ଆଣ୍ଡାମାନ ସାଗର ଦେଇ ମିଆଁମାର ଆଡ଼କୁ ମୁହାଁଇବ । ଫଳରେ ଓଡ଼ିଶାକୁ ମୁହାଁଇବା ବା ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା ମିଳୁନାହିଁ । ଉପକୂଳ ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାରଦ ୧ରୁ ଦେଢ଼ ଡିଗ୍ରୀ ବଢ଼ିପାରେ । ୧୦ ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ତାପମାତ୍ରା ବଢ଼ିବ । ପୂର୍ବ ଆକଳନ ଅନୁଯାୟୀ ୪ରୁ ୮ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୪ରୁ ୬ ତାରିଖ ଭିତରେ କାଳବୈଶାଖୀ ସମ୍ଭାବନା ଅଧିକ ।

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଉତ୍ତର ଉପକୂଳର କେତେକ ଜାଗା ସହ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ଉପକୂଳ ସମେତ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ୭ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହେବ ବିଭିନ୍ନ ସ୍ଥାନରେ । ୪-୫ ଦିନ ପର୍ଯ୍ୟନ୍ତ ତାତି ବିଶେଷ ପରିବର୍ତ୍ତନ ହେବନାହିଁ । ସୋମବାର ଭୁବନେଶ୍ୱର, ଟିଟିଲାଗଡ଼, ମାଲକାନଗିରିରେ ତାପମାତ୍ରା ୩୯ ଡିଗ୍ରୀ ଟପିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.