ବାତ୍ୟା 'ନିଭାର୍' ପ୍ରଭାବରେ ଚେନ୍ନାଇରେ ବର୍ଷା: ବୁଧବାର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଦିନ ବାତ୍ୟାର ରୂପ ନେଇଛି। ବାତ୍ୟା ନିଭାର୍ ଚଳିତ ବର୍ଷର ଚତୁର୍ଥ ବାତ୍ୟା। ଏହାପୂର୍ବରୁ ଅମ୍ପାନ, ନିଃସର୍ଗ ଓ ଗତି ଆସିଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର ନିଭାର୍ ଉପରେ ରହିଛି। ତାମିଲନାଡୁ ଓ ପୁଦୁଚେରୀ ବର୍ଷା ଆରମ୍ଭ ହୋଇଯାଇଛି। ଚେନ୍ନାଇରେ ଆଜି ଲଗାତାର ବର୍ଷା ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଆହୁରି ଭୀଷଣ ବର୍ଷା ହେବ। ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୨୦୦ କିଲୋମିଟର ରହିପାରେ। ତାମିଲନାଡୁ ଓ ପୁଦୁଚେରୀର ଅନେକ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ନାବିକ ଓ ମାଛ ଧରାଳିଙ୍କୁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ ଲଗାତାର ଆଗକୁ ବଢିଚାଲିଛି। ଝଡ ବର୍ତ୍ତମାନ ପୁଦୁଚେରୀରୁ ୪୧୦ କିଲୋମିଟର ଦକ୍ଷିଣରେ ରହିଛି। ଚେନ୍ନାଇରୁ ଦକ୍ଷିଣ-ପୂର୍ବରୁ ୪୫୦ କିଲୋମିଟର ଦୂରରେ ରହିଛି। ବାତ୍ୟା ଉତ୍ତର-ପଶ୍ଚିମ ଦେଇ ତାମିଲନାଡୁ ଆଡକୁ ଗତି କରିବ।

ଚେନ୍ନାଇରେ ସୋମବାର ସନ୍ଧ୍ୟାରୁ ବର୍ଷା ଜାରି ରହିଛି। ଏବେ ସୁଦ୍ଧା ୭୧ ମିଲିମିଟର ବର୍ଷା ରେକର୍ଡ କରାଯଇଛି। ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ଓଡିଶାର ଅନେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ବିଭାଗର ୬ଟି ଟିମ୍ ନିୟୋଜିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.