ସକ୍ରିୟ ହେଉଛି ବାତ୍ୟା 'ନିସର୍ଗ', ଏହା ପ୍ରଭାବରେ ରାଜ୍ୟର ୧୬ଟି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

Published By : Prameya-News7 Bureau | June 01, 2020 IST

କେରଳ୧/୬: କେରଳରେ ପାଦ ଥାପିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଆରବ ସାଗରରେ ବାତ୍ୟା 'ନିସର୍ଗ; ଘନୀଭୂତ ହେବାରେ ଲାଗିଛି । ଏହା ଆସନ୍ତା ୧୨ଘଣ୍ଟା ଭିତରେ ଅବପାତର ରୂପ ନେବ । ଆସନ୍ତାକାଲି ଏହା ଝଡବାତ୍ୟା ଏବଂ ୩ ତାରିଖରେ ଭୀଷଣ ଝଡବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗୋଟିଏ ପଟେ କେରଳ ଉପକୂଳରେ ବାତ୍ୟା ନିସର୍ଗ ସକ୍ରିୟ, ଏତିକିବେ କେରଳ ଛୁଇଁଛି ମୌସୁମୀ।  ଏନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହାସହ ଦେଶରେ ଆସନ୍ତା ୪ ମାସ ପାଇଁ ବର୍ଷା ଋତୁ ଆରମ୍ଭ ହୋଇଯାଇଛି । ଦେଶର ଅର୍ଥନୀତି ଭଲ ମୌସୁମୀ ଉପରେ ନିର୍ଭର କରୁଥିବା ବେଳେ ଏହା ଠିକ୍ ସମୟରେ ଭାରତର ମୂଳ ଭୂଖଣ୍ଡରେ ପ୍ରବେଶ କରିଛି । ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ଋତୁ ଦେଶର ମୋଟ ବୃଷ୍ଟିପାତର ୭୫ ପ୍ରତିଶତ ବହନ କରିବ।  ବର୍ତ୍ତମାନ କେରଳ ଉପକୂଳରେ ସୃଷ୍ଟି ହୋଇଥିବା ପାଣିପାଗ ସ୍ଥିତି ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏହି ଧାରାକୁ ଦେଖିଲେ ଜୁନ୍‌ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ଆକଳନ କରାଯାଉଛି ।

{"id":279817,"width":578,"height":248,"sizeSlug":"large"}

ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନିସର୍ଗ କ୍ରମଶଃ ଅବପାତର ରୂପ ନେଇଛି। କାଲି ଏହା ଝଡବାତ୍ୟା ବା ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ୩ ତାରିଖରେ ଏହା ଭୀଷଣ ଝଡବାତ୍ୟା ବା ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରୁ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତ ୬ ଘଣ୍ଟା ହେଲା ଗତି କରୁଛି । ୩ ତାରିଖରେ ଉତ୍ତର ମହରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳର ମଧ୍ୟଭାଗ ରାଇଗଡ ହରିହରେଶ୍ବର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହି ସମୟରେ ୧୦୫ ରୁ ୧୨୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ସେପଟେ ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବାଲେଶ୍ବର, ସୋନପୁର, ବୌଦ୍ଧ ଓ ମାଲକାନଗିରିରେ ଘଡ଼ ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.