ଆସୁଛି ବାତ୍ୟା : ୧୨ ଜିଲ୍ଲାକୁ ସତର୍କ ସୂଚନା, ୪ ଉପକୂଳ ଜିଲ୍ଲାରେ ବ୍ୟାପକ ମୁକାବିଲା ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Published By : Prameya-News7 Bureau | May 15, 2020 IST

ଭୁବନେଶ୍ବର ୧୫।୫: ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏସଆରସି କହିଛନ୍ତି ଯେ, IMDର ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ୍ ସମୁଦ୍ର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଜି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।

୧୭ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ମଧ୍ୟ ଅଧିକ। ୧୭ ତାରିଖ ପର୍ଯ୍ୟନ୍ତ ଏହା ବଙ୍ଗୋପସାଗର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ ରିକର୍ଭ ହୋଇ ୧୮ ଏବଂ ୧୯ତାରିଖରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ଏହିଭଳି ଭାବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଛୁଇଁପାରେ । ତେବେ ସାମୁଦ୍ରିକ ଝଡ ଆଗକୁ କି ରୂପ ନେବ ତାହା ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ଜଣାପଡିନାହିଁ।

ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବ ରାଜ୍ୟରେ ପଡିପାରେ । ଓଡିଶାର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଉତ୍ତର ଓଡିଶା ସାମାନ୍ୟ ପ୍ରଭାବିତ ହେବ । ଉତ୍ତର ଓଡିଶାର ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ଫଳରେ ସ୍କୁଲ ଗୁଡିକରେ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ଏପରି ସ୍ଥିତିରେ ସ୍କୁଲଗୁଡିକରେ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇପାରିବନାହିଁ । ତେଣୁ କେଉଁ ସ୍ଥାନରେ ଆଶ୍ରୟସ୍ଥଳୀ କରାଯିବ ତାହା ଠାବ କରି ରଖିବାକୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ଦରକାର ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ରାପିଡ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯିବ। ପାୱାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ  ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।  ପବନ ବେଗ ୬୦ରୁ ୭୦ କିଲୋମିଟର ରହିବ । ଚାଷୀମାନଙ୍କୁ ମଧ୍ୟ ସର୍ତକ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସବୁ ବିଭାଗକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତରାଜି ବିଭାଗକୁ ପିଇବା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କରିବା ନେଇ ଆଲୋଚନା କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡିକରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ ଓ ଏନଡିଆରଫକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.