‘କ୍ୟାର’ ଯାଇନି ଆରବ ସାଗରରେ ଆସୁଛି ଆଉ ଏକ ବାତ୍ୟା ‘ମହା’, ଜାଣନ୍ତୁ କେଉଁ ସବୁ ରାଜ୍ୟ ଲାଗି ରହିଛି ବିପଦ
31/10/2019 at 9:35 PM

ନୂଆଦିଲ୍ଲୀ,୩୧।୧୦: ଆରବସାଗରରେ ସୃଷ୍ଟି ହୋଇଛି ବର୍ଷର ୪ର୍ଥ ବାତ୍ୟା ‘ମହା’ । ଏବେ ସମୁଦ୍ରରେ ‘କ୍ୟାର’ ଥିବା ବେଳେ ପୁଣି ସୃଷ୍ଟି ହୋଇଛି ‘ମହା’ ଯାହାକି ଏକ ବିରଳ ଘଟଣା ବୋଲି କୁହାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଆକଳନ ଅନୁସାରେ ବୁଧବାର ରାତିରେ ବାତ୍ୟା ‘ମହା’ ଦକ୍ଷିଣ-ପୂର୍ବ ଆରବ ସାଗର ଲାକ୍ଷାଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହୋଇଥିଲା।

‘ମହା’ ଏବେ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି। ଯାହା ଆଗାମୀ ୨୪ ଘଣ୍ଟାରେ ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଗୁରୁବାର ଆଇଏମଡି ଆକଳନ କରିଛନ୍ତି। ନଭେମ୍ବର ୧ ତାରିଖ ସୁଦ୍ଧା ‘ମହା’ ତାର ତାଣ୍ଡବ ରଚିବ। ଯାହା ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଉପକୂଳରେ ଅନୁଭୂତ ହେବ।

‘ମହା’ ପ୍ରଭାବରେ ଲକ୍ଷାଦ୍ୱୀପ ସମେତ କେରଳ, କର୍ଣ୍ଣାଟକ ଓ ଦକ୍ଷିଣ ତାମିଲନାଡୁରେ ବର୍ଷା ଆଶଙ୍କା କରାଯାଉଥିବା ବେଳେ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗ୍ରୀମ ସତର୍କତା ଜାରି କରିଛନ୍ତି। ଏହି ସମୟରେ ଲାକ୍ଷାଦ୍ୱୀପ ସମେତ କେରଳ, ଦକ୍ଷିଣ ତାମିଲନାଡୁ ଓ କର୍ଣ୍ଣାଟକରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ୧୬୦ରୁ ୧୭୦ କିଲୋମିଟରକୁ ମଧ୍ୟ ପବନର ବେଗ ବଢିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛନ୍ତି।

‘ମହା’ ପ୍ରଭାବରେ କେରଳ, କର୍ଣ୍ଣାଟକ ଓ ଲକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଜୁଆରିଆ ରହିବା ସାଙ୍ଗକୁ ୧୦ରୁ ୧୫ଫୁଟ ଉଚ୍ଚର ଲହଡି ଉଠିବ ବୋଲି ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି। ଏଣୁ ଏହି ସମୟରେ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ମତ୍ସ୍ୟଜୀବିଙ୍କୁ ସତର୍କ କରାଇଛନ୍ତି।